ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପୋଢ଼ୁଆଁ

Advertisment
ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପୋଢ଼ୁଆଁ

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।

ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ । ତା’ ଉପରେ ବସି ପୁତ୍ର ବା କନ୍ୟା ବନ୍ଦାପନା ହୁଅନ୍ତି । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ ।

publive-image

ଏହି ପ୍ରଥମାଷ୍ଟମୀ ପରମ୍ପରାକୁ ନେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ଗଢ଼ି ଉଠିଛି । ସାଧାରଣତଃ ମାମୁଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ । ଏହାକୁ ନେଇ ସୃଷ୍ଟି ହୋଇଛି ‘ଅଷ୍ଟମୀ ବନ୍ଧୁ’ ସଂସ୍କୃତି । ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଏ ସଂସ୍କୃତି କେବଳ ଜନସମାଜ ମଧ୍ୟରେ ସୀମିତ ରହିନାହିଁ; ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ ‘ପୋରୁହାଁ’ ହେବାର ବିଧି ଅଛି । ଶ୍ରୀମନ୍ଦିରରେ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

ଏଥିପାଇଁ ଗତ କିଛି ଦିନ ହେଲା ରାଜଧାନୀରେ ହଳଦୀପତ୍ରର ଆସର ଦେଖିବାକୁ ମିଳୁଛି । ୟୁନିଟ୍‌-୧, ୟୁନିଟ୍‌-୪, ଭିଏସ୍‌ଏସ୍‌ନଗର, କୋଚିଲେଇ ହାଟ, ଆଇଡି ମାର୍କେଟ, ରୁଚିକା ମାର୍କେଟ୍‌ ଭଳି ବଡ଼ ବଡ଼ ହାଟ ସମେତ ରାଜଧାନୀର ଗଳିକନ୍ଦିରେ ଥିବା ପରିବା ଦୋକାନରେ ହଳଦୀ ପତ୍ର ବିକ୍ରିବଟା ଚାଲିଛି। ତେବେ ଆଜି ସଂଧ୍ୟାରେ ହଳଦୀପତ୍ର କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗି ଯାଇଥିଲା । ସବୁ ହାଟରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା । ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା । ଚାହିଦା ଦେଖି ବେପାରୀମାନେ ବି ଦର ବୃଦ୍ଧି କରିଦେଇଥିଲେ। ଦୁଇ ଦିନ ତଳେ ୧୦ରୁ ୧୫ଟଙ୍କାରେ ବିକ୍ରି ହେଉଥିବା ବିଡ଼ାର ଦର ଆଜି ସଂଧ୍ୟାରେ ୨୫ରୁ ୩୦ଟଙ୍କା ପର୍ଯ୍ୟନ୍ତ ଛୁଇଁ ଯାଇଥିଲା ।

କୋଚିଲେଇ ହାଟରେ ଅସ୍ଥାୟୀ ପସରା ଖୋଲିଥିବା ପ୍ରକାଶ ନାୟକ କହିଛନ୍ତି, ଗାଁରେ ଏସବୁ ମାଗଣାରେ ମିଳିଯାଏ । କିନ୍ତୁ ସହରିଆଙ୍କ ପାଇଁ ଏହା ମହରଗ । ଏଣୁ ଅଷ୍ଟମୀ ପୂର୍ବଦିନ ଗାଁରୁ ଏହି ହଳଦୀପତ୍ର ଆଣି ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର ହୁଏ ବୋଲି ସେ କହିଛନ୍ତି। ରାଜଧାନୀକୁ ବିଶେଷକରି କନ୍ଧମାଳ, ପିପିଲି, ନିଆଳି ଓ ନୟାଗଡ଼ରୁ ହଳଦୀପତ୍ର ଆସିଥାଏ। ଅପରପକ୍ଷେ ପ୍ରଥମାଷ୍ଟମୀ ପାଇଁ ଆଜି ପୋଷାକ ବଜାରରେ ମଧ୍ୟ ଅସାମାନ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା । ମାର୍କେଟ୍‌ ବିଲ୍‌ଡିଂ, ଜନପଥରେ ଥିବା ଡ୍ରେସ୍‌ ଦୋକାନ ଓ ବଡ଼ ବଡ଼ ସପିଂ ମଲରେ ଲୋକଙ୍କ ଗହଳି ଜମିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe