କନକ ବ୍ୟୁରୋ: ବନ୍ଦେ ମାତରମକୁ ଯିଏ ଗ୍ରହଣ କରିପାରିବନି, ଏ ଦେଶରେ ତା ପାଇଁ ସ୍ଥାନ ନାହିଁ । ଯେଉଁମାନେ ଭାରତର ଅଖଣ୍ଡତାକୁ ସ୍ୱୀକାର କରିପାରୁ ନାହାନ୍ତି କି ବନ୍ଦେ ମାତରମ କହି ପାରୁନାହାନ୍ତି ସେମାନଙ୍କର ଏଦେଶରେ ରହିବାର ଅଧିକାର ନାହିଁ । ଏଭଳି ଏକ ବଡ ବୟାନ ଦେବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବନ୍ଦେ ମାତରମ ନେଇ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, କିଏ ରହିବ ଦେଶରେ ? ଦେଶ ପ୍ରେମର ଏଜେଣ୍ଡା ଧରି ବିଜେପି ରାଜନୀତି କରିବାକୁ ଚାହୁଁନି ତ ? କାରଣ କୌଣସି କର୍ମୀ ନୁହେଁ ଖୋଦ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେବା ପରେ ଏହାକୁ ବିରୋଧୀ ସମାଲୋଚନା କରିବା ଆରମ୍ଭ କଲେଣି ।
ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଏଭଳି କହିଛନ୍ତି । ଲୋକଙ୍କୁ ମାଗଣ ପାଣି, ମାଗଣା ବିଜୁଳି ଦେଲେ ବିକାଶ ହେବନି । କଂଗ୍ରେସ କରିଥିବା ପାପର ଆମେ ପ୍ରାୟଶ୍ଚିତ କରୁଛୁ । ସିଏଏ ନେଇ କଂଗ୍ରେସ ଅପପ୍ରଚାର କରୁଛି । ତେଣୁ ଭାରତର ସ୍ୱାଧୀନତା, ଏକତା ଏବଂ ବନ୍ଦେ ମାତରମକୁ ଯିଏ ଗ୍ରହଣ ନ କରିବ ତାର ଭାରତରେ ସ୍ଥାନ ନାହିଁ । ଦେଶର ବିଭାଜନ ସମୟରେ କଂଗ୍ରେସ କରିଥିବା ଭୁଲକୁ ସୁଧାରିବାରେ ସିଏଏ ବା ନାଗରିକତା ସଂଶୋଧନ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ନାଗରିକତା ସଂଶୋଧନ ଆଇନ ଆଣିଥିବାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ସେପଟେ ପ୍ରତାପ ଷଡଙ୍ଗୀଙ୍କ ଏ ବୟାନକୁ ସ୍ୱାଗତ କରିଛି ଓଡିଶା ବିଜେପି । ବିଜେପି ନେତା ପ୍ରଦୀପ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସ୍ୱାଗତ କରିଥିବା ବେଳେ ଏହା ଦେଶପ୍ରେମର ନିଦର୍ଶନ ବୋଲି କହିଛନ୍ତି । ବନ୍ଦେ ମାତରମ କହିଲେ ଭାରତ ପ୍ରତି ଭଲପାଇବା ବଢେ, ଦେଶପ୍ରୀତି ବାବନା ଜାଗ୍ରତ ହୁଏ ତେଣୁ ଏହା ଅକ ଉତ୍ତମ ବୟାନ ବୋଲି ଶ୍ରୀଯୁକ୍ତ ପୁରୋହିତ କହିଛନ୍ତି ।
ତେବେ କେନ୍ଦ୍ରମନ୍ତ୍ରୀ ଓ ପୁରୋହିତଙ୍କ ଏ ବୟାନରୁ ଗୋଟିଏ କଥା ସ୍ପଷ୍ଟ ହେଉଥି କି ବିଜେପି ହିନ୍ଦୁତ୍ୱର ଏଜେଣ୍ଡା ନେଇ ରାଜନୀତି କରିବାକୁ ଚାହୁଁଥିବାରୁ ମନ୍ଦେ ମାତରମ ନାରାକୁ ପ୍ରସଙ୍ଗ କରୁଛି । ଯଦିଓ ଦେଶଭକ୍ତିକୁ ମୁହଁରେ ଧରିବା ପାଇଁ ବା ‘ଯେଉଁମାନେ ବନ୍ଦେ ମାତରମ କହିପାରୁ ନାହାନ୍ତି ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ’... ଭଳି ସମ୍ବିଧାନରେ ଏଯାଏଁ କୌଣସି ନିୟମ ନାହିଁ ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ବିଜେପି ଲୋକଙ୍କ ଉପରେ ବନ୍ଦେ ମାତରମର ବାଧ୍ୟବାଧକତା ଲଦି ରାଜନୀତି କରିବାକୁ ଚାହୁଁଛି ଆଉ ବିରୋଧୀଙ୍କୁ ଟାର୍ଗେଟ କରୁଛି । ତେବେ ପ୍ରକୃତ ଦେଶଭକ୍ତି କଣ କେବଳ ନାରାରେ ଥାଏ କି ? ମୁହଁରେ ବନ୍ଦେ ମାତରମ କହିବା କଣ ଦେଶଭକ୍ତିର ପ୍ରମାଣ କି ? କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ଏବେ ଏ ସମସ୍ତ ପ୍ରଶ୍ନ ମୁଣ୍ଡ ଟେକିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vande-mataram.jpg)