ସୁଧୁରୁନି ବାଲେଶ୍ୱର ମେଡିକାଲର ସ୍ଥିତି । ଅବ୍ୟବସ୍ଥା ନେଇ ଶତାଧିକ କର୍ମୀଙ୍କ ସହ ହସ୍ପିଟାଲ ପରିସରରେ ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

140

କନକ ବ୍ୟୁରୋ : ମେଡିକାଲରେ ଅବ୍ୟବସ୍ଥା, ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେବ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନା ଠିକ୍ ସମୟରେ ଡାକ୍ତର ଆସୁଛନ୍ତି, ନା ଭଲ ଭାବେ ରୋଗୀସେବା ହେଉଛି । ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ପାଇଁ ପୂର୍ବରୁ ଅନେକ ଥର ମେଡିକାଲକୁ ଅଚାନକ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା, ସେନେଇ ସ୍ଥିତି ପରଖିବା ସହ ହସ୍ପିଟାଲର ବିଭିନ୍ନ ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ନିଆନଯିବାରୁ ଆଜି ରାତି ପାଖାପାଖି ୯ଟା ୩୦ ମିନିଟରୁ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା ସମ୍ପର୍କରେ ଖବର ପାଇବା ପରେ ମେଡିକାଲକୁ ଯାଇ ତାଙ୍କୁ ଭେଟିଥିଲେ ଜିଲ୍ଲାପାଳ । ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପୁନର୍ବାର ଧାରଣା ଜାରି ରଖିଥିବା ସୂଚନା ମିଳିଛି ।