କନକ ବ୍ୟୁରୋ: ଆସନ୍ତା ୧୨ ତାରିଖରେ ଘରେ ଘରେ ଦୀପ ଜାଳିବାକୁ ଓଡିଶାବାସୀଙ୍କୁ ଅପିଲ କଲେ ପ୍ରତାପ ଷଡଙ୍ଗୀ । ଓଡିଶାରେ ବିଜେପି ସରକାରର ଶପଥ ସମାରୋହ ଦିନ ଦୀପ ଜାଳି ଓଡିଶାରେ ଦୀପାବଳିର ଅନୁଭବ ଆଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।

Advertisment

ଡବଲ ଇଞ୍ଜିନ ସରକାର ପାଇଁ ପ୍ରତିଟି ସାଧାରଣ ଲୋକ ଦୁଇଟି ଦୀପ ଜାଳିବା ପାଇଁ ସେ ଅପିଲ କରିଛନ୍ତି । ଗୋଟିଏ କେନ୍ଦ୍ର ପାଇଁ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ଏକ ଐତିହାସିକ ଘଟଣା ବୋଲି ପ୍ରେସମିଟରେ ପ୍ରତାପ ଷଡଙ୍ଗୀ କହିଥିବା ବେଳେ ଓଡିଶାରେ ୨୫ ବର୍ଷର କଳା ଶାସନର ପରିସମାପ୍ତି ଘଟିଥିବା ସେ କହିଛନ୍ତି । ଓଡିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର ଅନ୍ତ ହେବାକୁ ଯାଉଥିବାରୁ ଲୋକେ ଗାଁ ଗାଁରେ, ଘରେ ଘରେ ଦୀପାବଳିର ବାତାବରଣ ନିର୍ମାଣ କରନ୍ତୁ । କାରଣ ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଥିବା କହିଛନ୍ତି ପ୍ରତାପ ଷଡଙ୍ଗୀ ।

ତେବେ ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସାରା ଓଡିଶାର ଲୋକଙ୍କୁ ବିଜେପିର ଶପଥ ସମାରୋହରେ ଯୋଗ ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ପ୍ରତାପ ଷଡଙ୍ଗୀ । ସେପଟେ ଆସନ୍ତାକାଲି ଅପରାହ୍ଣରେ ବସିବ ବିଧାୟକ ଦଳ ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦର ଯାଦବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିବ । ବିଜେପି ଓଡିଶାରେ ନୂଆ ଇତିହାସ ରଚିବାକୁ ଯାଉଛି ବୋଲି କହିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।