କନକ ବ୍ୟୁରୋ: ପୁଣି ଉଠିଲା ପରାଗରେ ଚିକେନ୍ ବିରିୟାନି ପ୍ରସଙ୍ଗ । ସୋସିଆଲ ମିଡିଆରେ ଲେଖିଲେ ପ୍ରତାପ ରଥ । ସୂର୍ଯ୍ୟପରାଗରେ ପାକ ନିଷେଧ ବେଳେ ଚିକେନ ବିରିୟାନୀ ଖାଇ ବିବାଦ ସୃଷ୍ଟି କରିଥିବା ହେତୁବାଦୀ, ଏହି ପ୍ରସଙ୍ଗକୁ ଛାଡିପାରୁନାହାନ୍ତି । ଆଗକୁ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଥିବାରୁ ପୁଣିଥରେ ନିଜର ମତାମତ ରଖିଛନ୍ତି ହେତୁବାଦୀ ପ୍ରତାପ ରଥ । ଏଥର ସୋସିଆଲ ମିଡିଆରେ ନିଜର ବିଚାର ଲେଖି, ଜ୍ୟୋତିଷମାନଙ୍କ ଯୁକ୍ତିକୁ ବିଜ୍ଞାନ ସମ୍ମତ ନୁହେଁ ବୋଲି କହି ପୁଣିଥରେ ଟାର୍ଗେଟ କରିଛନ୍ତି । ଅତି କଡା ଭାଷାରେ ଟିପ୍ପଣୀ କରି ଲେଖିଛନ୍ତି- ସୂର୍ଯ୍ୟପରାଗରେ ସୂର୍ଯ୍ୟଙ୍କୁ ରାହୁ ଗିଳିଦେବା ଫଳରେ ମଣିଷ ଶରୀରରେ ସୂର୍ଯ୍ୟକିରଣ ପଡିପାରେ ନାହିଁ । ତେଣୁ ଖାଦ୍ୟ ପାଚନରେ ସମସ୍ୟା ଦେଖାଦିଏ ବୋଲି କହିବା ବିଜ୍ଞାନ ସମ୍ମତ ନୁହେଁ । ରାତି ସମୟରେ ଲୋକେ ଖାଦ୍ୟ ଖାଇଲେ ସୂର୍ଯ୍ୟକିରଣ ଅଭାବରେ ଏହା କିଭଳି ପାଚନ ହୁଏ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ହେଲେ ଜ୍ୟୋତିର୍ବିଦ ପଣ୍ଡିତ ଦିବାକର ମିଶ୍ର ଏହାକୁ ବିଜ୍ଞାନ ସମ୍ମତ ବୋଲି କହିଛନ୍ତି । ଏପରିକି ନାସାର ବୈଜ୍ଞାନିକ ମଧ୍ୟ ସୂର୍ଯ୍ୟକିରଣ ଅଭାବରେ ଖାଦ୍ୟ ପାଚନରେ ସମସ୍ୟା ଦେଖାଦିଏ ବୋଲି କହୁଥିବା ସେ ଯୁକ୍ତି ବାଢିଛନ୍ତି ।
ସୂର୍ଯ୍ୟପରାଗରେ ହାଣ୍ଡିଛାଡ଼ ଓ ପାକ ନିଷେଧ ନେଇ ଧାର୍ମିକ ପରମ୍ପରା ବେଳେ ହେତୁବାଦୀମାନେ ଏହାର ବିରୋଧ କରିଥିଲେ । ଚିକେନ୍ ବିରିୟାନୀ ଖାଇବା ସହ ଯୁକ୍ତି ବାଢ଼ିଥିଲେ ଯେ ଏହା ଏକ କୁସଂସ୍କାର, ଏଥିରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ । ଏହା ହିଁ ବିବାଦ ସୃଷ୍ଟି କରିଛି । ହେତୁବାଦୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମାଲୋଚନା କରିଛନ୍ତି । ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି ଅଭିଯୋଗ କରିଛନ୍ତି ।
ହାଣ୍ଡିଛାଡ ଓ ପାକନିଷେଧର ଯେଉଁ ପରମ୍ପରା ରହିଛି, ଯାହା ଉପରେ ଗୁରୁତ୍ୱ ଦେଇଥାନ୍ତି ଜ୍ୟୋତିଷ ଶାସ୍ତ୍ରୀ । ଆଉ ଏହାକୁ ପରମ୍ପରା ନାଁରେ ଅନ୍ଧବିଶ୍ୱାସ ବୋଲି ଯୁକ୍ତି ବାଢୁଛନ୍ତି ହେତୁବାଦୀ । ସୂର୍ଯ୍ୟପରାଗରେ ଚିକେନ ବିରିଆନି ଖାଇ ଏହାକୁ ଅନ୍ଧବିଶ୍ୱାସ ବୋଲି ପ୍ରମାଣ କରିବାକୁ ହେତୁବାଦୀମାନେ ଉଦ୍ୟମ କରି ବିବାଦରେ ନିଆଁ ଲଗାଇ ଦେଇଛନ୍ତି । ନଭେମ୍ବର ୮ରେ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା, ସେହିଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି । ଚନ୍ଦ୍ରଗ୍ରହଣରେ ବି ଚିକେନ ବିରିଆନି ଖାଇବେ ବୋଲି କହିଛନ୍ତି ହେତୁବାଦୀ । ଯାହାକୁ ନେଇ ମାମଲା ଥାନା ଓ କୋର୍ଟରେ ପହଞ୍ଚିଛି । ତଥାପି ହେତୁବାଦୀ ନିଜ ଜିଦରେ ଅଟଳ ଅଛନ୍ତି । ଯାହାକୁ ଗ୍ରହଣ କରିପାରୁନାହାନ୍ତି ହିନ୍ଦୁ ଧର୍ମ ଓ ପରମ୍ପରାରେ ବିଶ୍ୱାସ କରୁଥିବା ବ୍ୟକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/SJSJSJ.jpg)