ବଢ଼ିବ କି ମନ୍ତ୍ରୀଙ୍କ ଅଡୁଆ ? ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ପିଏ ଓ ମାହାଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ହେବ କଲ ରେକର୍ଡ ଯାଞ୍ଚ ।

144

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣା ପୁଣି ନୂଆ ମୋଡ ନେଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏ ଓ ମାହାଙ୍ଗା ବ୍ଲକ ଚେୟାରମ୍ୟାନଙ୍କ କଲ ରେକର୍ଡର ଯାଞ୍ଚ କରିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ଥରେ ଏହି ମାମଲା ଚର୍ଚ୍ଚାକୁ ଫେରିଛି । ମୁଖ୍ୟ ଅଭିଯୁକ୍ତ ମୃତ ପ୍ରଫୁଲ ବିଶ୍ୱାଳଙ୍କୁ କିଏ ଫୋନ୍ କରିଥିଲେ, ତାର ସମ୍ପୂର୍ଣ୍ଣ ତଥ୍ୟ କୋର୍ଟ ମାଗିବା ପରେ ମାମଲା ସନ୍ଦେହ ଭିତରକୁ ଠେଲି ହୋଇଯାଇଛି । କାରଣ ଏହି ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ପୂର୍ବରୁ ଏଫଆଇଆରରେ ମନ୍ତ୍ରୀଙ୍କ ନାଁ ଥିବା ବେଳେ ପରବର୍ତ୍ତୀ ସମୟରେ କାହିଁକି କଟିଲା, ସେନେଇ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ ।

ଅଡୁଆ ବଢ଼ାଉଛି ମାହାଙ୍ଗା ଡବଲ୍ ମର୍ଡର । କଲ୍ ରେକର୍ଡ ଯାଞ୍ଚ ପାଇଁ ପୁଲିସକୁ ନିର୍ଦ୍ଦେଶ । ମାହାଙ୍ଗା ଡବଲ୍ ମର୍ଡର୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି, ଯେତେବେଳେ ମାହାଙ୍ଗା ଜେଏମଏଫସି ତିନି ଜଣ ବ୍ୟକ୍ତିଙ୍କର କଲ୍ ଡିଟେଲ୍ସ ବାହାର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାପି ବିଶ୍ୱାଳ – ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏ
ଶରତ ନାଏକ – ମାହାଙ୍ଗା ବ୍ଲକ ଚେୟାରମ୍ୟାନ
ପ୍ରଫୁଲ୍ଲ ବିଶ୍ୱାଳ – ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ, ଯାହାଙ୍କ ମୃତ୍ୟୁ ହୋଇସାରିଛି

ଏ ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା, କିଏ କାହାକୁ କେତେବେଳେ କେତେ ସମୟ ପାଇଁ ଫୋନ୍ କରିଥିଲେ, ତାର ତଥ୍ୟ ଏହି ମାମଲା ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବାରୁ, ତୁରନ୍ତ ଏହା ଉପରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୬ ଫେବୃଆରୀ ୨୦୨୧ । ରାସ୍ତା କଡରୁ ମିଳିଥିଲା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଥିଲା, ହେଲେ ଏହା ଅନେକ ବିବାଦ ବି ସୃଷ୍ଟି କରିଥିଲା । କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ, ଯାହାକୁ ପୁଲିସ ଖୋଜୁଥିଲା, ସିଏ କିଭଳି ମୃତ୍ୟୁ ମୁଖରେ ପଡିଲା, ତାକୁ ନେଇ ଅନେକ ପ୍ରଶ୍ନ ବି ଉଠିଥିଲା । ପ୍ରଶ୍ନ ଉଠୁଛି,
– ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ କଣ ଦୁର୍ଘଟଣା ଜନିତ ନଥିଲା କି ?
– ତାଙ୍କର ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢୁଛି କି ?
– କାହା ସହ କଥା ହୋଇଥିଲେ ପ୍ରଫୁଲ୍ଲ, ସେହି ତଥ୍ୟ ମାମଲାର ଦିଗ ବଦଳାଇବ କି ?

ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ପୁଲିସର ଚାର୍ଜସିଟ୍ ଉପରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ । ଏଫଆଇଆରରେ ମନ୍ତ୍ରୀଙ୍କ ନାଁ ଥିବା ବେଳେ ପରବର୍ତ୍ତୀ ସମୟରେ କାହିଁକି କଟିଲା, ସେନେଇ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି ।

ତଦନ୍ତ ସାରି ଶୀଘ୍ର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ପୁଲିସ ବିଳମ୍ବ କରୁଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ବିରୋଧୀ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି କଂଗ୍ରେସ ଏହି ମାମଲାକୁ ପୁଣି ଉଖୁରାଇଛି । ଏଭଳି ସ୍ଥଳେ କୋର୍ଟ କଲ୍ ଡିଟେଲ୍ସ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମନ୍ତ୍ରୀଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି ।