ଭିତର ରତ୍ନଭଣ୍ଡାର ଖୋଲିବ ନା ନାହିଁ…? ଜାଣନ୍ତୁ ବିଧାନସଭାରେ କଣ  ଉତ୍ତର ରଖିଲେ ଆଇନମନ୍ତ୍ରୀ । 

113

କନକ ବ୍ୟୁରୋ : ପୁରୀ ରତ୍ନଭଣ୍ଡାର ଖୋଲିବ ନା ନାହିଁ । ଯଦି ଖୋଲିବ, ତେବେ କେବେ ଖୋଲିବ । ଆଉ ବିଧାନସଭାରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତି ହୋଇନଥିବା ଆଇନ ମନ୍ତ୍ରୀ କହିଛନ୍ତି । ମନ୍ଦିର ନିୟମ ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଦେଶ ହେଲେ ରତ୍ନ ଭଣ୍ଡାର ଖୋଲାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଶ୍ରୀମନ୍ଦିରର ରତ୍ନଭଣ୍ଡାର, ବାହାର ଓ ଭିତର ଭଣ୍ଡାରକୁ ନେଇ ଗଠିତ । ଜଗନ୍ନାଥ ମନ୍ଦିର ନିୟମ ୧୯୬୦ର ନିୟମ ୬(୧) ଅନୁଯାୟୀ କେବଳ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଦେଶ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇପାରିବ । ଭିତର ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି ଆବଶ୍ୟକତା ଅଛି କି ନାହିଁ, ତାହା ଯାଂଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗର ବିଶେଷଜ୍ଞ ଦଳ, ୨୦୧୮ ଏପ୍ରିଲ ୪ତାରିଖରେ ଭିତର ରତ୍ନଭଣ୍ଡାର ଯାଂଚ କରିଥିଲେ ।

ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନଥିବା ବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତରପଟ ପରୀକ୍ଷା ନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ । ତେବେ ଭିତର ଭଣ୍ଡାର ଖୋଲିବା ପାଇଁ କୌଣସି ନିଷ୍ପତି ହୋଇନାହିଁ । ତେବେ ଭିତର ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି, ସେଗୁଡିକ ଠିକ୍ ଅଛି କି ନାହିଁ ସେବାବଦରେ ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ଯେଉଁଥିପାଇଁ ରତ୍ନଭଣ୍ଡାର ଖୋଲିବାକୁ ବିଭିନ୍ନ ଆଡୁ ଦାବି ଉଠୁଛି ।