କନକ ବ୍ୟୁରୋ : ମମିତା ପ୍ରସଙ୍ଗରେ ଦୀର୍ଘ ୬ ଦିନ ହେବ ବିଧାନସଭା ଅଚଳ । ଗୃହକୁ ଚଲାଇ ଦେଉନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ମମିତା ହତ୍ୟାକୁ ନେଇ ବିଜେପି ପ୍ରଥମେ ବିଧାନସଭା ବାହାରେ ଗୋବର ପାଣି ଛିଞ୍ଚିଥିବା ବେଳେ ପରେ ଗୃହ ଭିତରେ ପ୍ରବଳ ହଟ୍ଟଗୋଳ କରିଛି । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଛି । କିନ୍ତୁ ଏବେ ବିଜେପିର ଦୋମୁହାଁ ନୀତି ଉପରୁ ପରଦା ହଟାଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି ବିଜେଡି ।
ବିଜେଡି କହିଛି, ମମିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ମନ୍ତ୍ରୀଙ୍କୁ ଦୋଷାରପ କରି ଇସ୍ତଫା ଦାବି କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛି । ଅତୀତରେ ଅନେକଥର ଏଭଳି ନବୀନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ଭୁଲ ପ୍ରମାଣିତ ହୋଇଛି । ୬ ଦିନ ହେବ ବିଧାନସଭାକୁ ଚଲାଇ ଦିଆଯାଉନାହିଁ । ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଉଛି, କିନ୍ତୁ ଆଲୋଚନାକୁ ନ ଆସି ବିରୋଧୀ ହଟ୍ଟଗୋଳ କରୁଛନ୍ତି । ଶାସକ ଦଳ ଗୃହ ଚଲାଇ ଦେଉନାହିଁ ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣୁଛି ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପୂରା ପ୍ରସ୍ତୁତ । କିନ୍ତୁ ବିଜେପି ଆଲୋଚନାକୁ ନ ଆସି ମୃତ ବ୍ୟକ୍ତିଙ୍କୁ ନେଇ ଶସ୍ତା ରାଜନୀତି କରୁଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ନିଜର ସଙ୍ଗଠନକୁ ସୁଦୃଢ କରିବାକୁ ଏପରି ହୀନ ରାଜନୀତି କରୁଛି ବିଜେପି ।
ଏହାସହ ବିଜେଡି କହିଛି, ମମିତା ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ହେଉଛନ୍ତି ମୋହନ ଲାଲ ଶର୍ମା । ତେବେ ଏହି ମୋହନ ଲାଲ ହେଉଛନ୍ତି ବିଜେପିର ଜଣେ ସକ୍ରିୟ ନେତା । ବିଜେପିର ଅନେକ ବଡ ବଡ ନେତାଙ୍କ ସହ ମୋହନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଅନେକ କାର୍ଯ୍ୟକ୍ରମରେ ମୋହନଙ୍କୁ ଦେଖିବାକୁ ମିଳିଛି । ଏପରିକି ବିଜେପି ପୋଷ୍ଟରରେ ସେ ଶୁଭେଚ୍ଛା ବାର୍ତ୍ତା ଦେଉଥିବାର ଦେଖାଯାଇଛି । ୨୦୦୯ ଓ ୨୦୧୯ରେ କଣ୍ଟାବାଞ୍ଝିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ଦୌଡରେ ଥିଲେ ମୋହନ । କିନ୍ତୁ ଏବେ ମମିତା ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କିଭଳି ଜାମିନ ମିଳିବ ସେ ବାବଦରେ ଉଦ୍ୟମ କରୁଛନ୍ତି ।
ଗୋଟିଏ ପଟେ ବିରୋଧୀ ବିଜେପି ମମିତା ପ୍ରସଙ୍ଗରେ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଦଳୀୟ ନେତା ଗୋବିନ୍ଦ ସାହୁଙ୍କୁ ଜାମିନ ଦେବାକୁ ଉଦ୍ୟମ କରିବା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ତେଣୁ ଏଭଳି ସ୍ଥିତିରେ ନୈତିକତାର ପାଠ ନ ପଢାଉ ବିଜେପି । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ବନ୍ଦ କରିବାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ । ମୋହନ ଲାଲ ଗୋବିନ୍ଦଙ୍କ ପାଇଁ ଲଢିବା ବିଜେପିର ଅସଲ ମୁଖାକୁ ପଦାରେ ପକାଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ। ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି। ଆଉ ଏଥିପାଇଁ ବିଜେପି ନେତା ଗୋବିନ୍ଦଙ୍କ ପାଇଁ ଲଢିବା ଅନେକ ପ୍ରଶ୍ନବାଚୀ ଛିଡା କରୁଛି । ବିଜେପି ଗୋଟିଏ କଥା କହୁଛି, ଗୋଟିଏ କାମ କରୁଛି । ଯାହା ଏହିଥିରୁ ବେଶ ସ୍ପଷ୍ଟ ହୋଇଛି । ମୃତ ବ୍ୟକ୍ତିଙ୍କୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି ।
Follow Us