କନକ ବ୍ୟୁରୋ : ବିପୁଳ ବିଜୟ ଏକଛତ୍ରବାଦୀ ଶାସନ ଆଡକୁ ଇଙ୍ଗିତ କରୁଛି । ଏହା ରାଜ୍ୟକୁ ବିରୋଧୀ ଶୂନ୍ୟ କରିବା ଭଳି ସ୍ଥିତି ସୃଷ୍ଟି କରିଛି । ପ୍ରଥମ ଦିନର ଗଣତି ଭିତରେ ବିଜେଡିର ସଫଳତାକୁ ଦେଖି ବିରୋଧୀ ଶିବିରରୁ କିଛି ଏଭଳି ବୟାନ ସାମ୍ନାକୁ ଆସିଥିଲା । ଆଉ ଏହାର ଜବାବରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିରୋଧୀ କଣ ସତରେ ବିରୋଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି । କାହିଁକି ବିରୋଧୀ ଦଳକୁ ଲୋକେ ଗ୍ରହଣ କରୁନାହାନ୍ତି । ବିରୋଧୀଙ୍କ ଏଜେଣ୍ଡା ହିଁ ପଞ୍ଚାୟତ ନିର୍ବାଚନରେ ବଡ ଭୂମିକା ନେଇଥାଏ । କିନ୍ତୁ ବିରୋଧୀଙ୍କ ଏଜେଣ୍ଡା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନହୋଇ ନିଜ ରାଜନୈତିକ ଫାଇଦା ପାଇଁ ହେଲେ କଣ ହେବ?
ଜନସାଧାରଣ ଭୋଟ ଦେଇ ସରକାର ବାଛନ୍ତି । ସରକାର ତାଙ୍କ କାମ କରୁଛନ୍ତି କିନ୍ତୁ ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବା । ତାହା ସଠିକ୍ ଢଙ୍ଗରେ କରିବାରେ ବିଫଳ ହେଉଛନ୍ତି କି ବିରୋଧୀ ଦଳ? ନିଜ କାମ ନ କରି କେବଳ ସ୍ଲୋଗାନ ଭିତରେ ସୀମିତ ରହିଲେ ଏହାର ଜବାବ ଜନମତରେ ଦେଇଥାନ୍ତି ଜନତା । ଠିକ୍ ଯେମିତି ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଆଉ ଏଭଳି କହି ବିରୋଧୀଙ୍କ ଏକଛତ୍ରବାଦ ସ୍ଲୋଗାନର କଡା ଜବାବ ରଖିଛନ୍ତି ପ୍ରତାପ ଦେବ ।
ଯେଉଁଠି ପ୍ରତିଶ୍ରୁତି ପାଳନ ହୁଏ ନାହିଁ ସେଠାରେ ଲୋକେ ପ୍ରତ୍ୟାଖାନ କରନ୍ତି । ପ୍ରତିଶ୍ରୁତି ପାଳନ କଲେ ଲୋକେ ପୁଣିଥରେ ସୁଯୋଗ ଦିଅନ୍ତି । ସେକଥା ବିଜେପି ଭଲଭାବେ ଜାଣିବା ଦରକାର । ନଚେତ ପଶ୍ଚିମ ଓଡ଼ିଶାରେ ବିଜେପିର ଏମିତି ଅବସ୍ଥା ହୋଇନଥାନ୍ତା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପଶ୍ଚିମ ଓଡ଼ିଶାରେ ଭରସି ଥିଲେ ଜନତା । ଏପରିକି ୨୦୧୯ ନିର୍ବାଚନରେ ମଧ୍ୟ ୫ ସାଂସଦଙ୍କୁ ନିର୍ବାଚିତ କରି ପଠାଇଥିଲେ । କିନ୍ତୁ ପ୍ରତିବଦଳରେ ପଶ୍ଚିମ ଓଡ଼ିଶାବାସୀଙ୍କ କେତୋଟି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇଲେ ବିଜେପି ସାଂସଦ । ଜାତୀୟ ଦଳ କିମ୍ବା ଆଞ୍ଚଳିକ ଦଳର ପ୍ରସଙ୍ଗ ନୁହେଁ ବରଂ ଜିତିବା ପରେ ଜନପ୍ରତିନିଧି ଲୋକଙ୍କ ପାଇଁ କାମ କରୁଛନ୍ତି କି ନାହିଁ ତାହାର ହିସାବ ନିକାଶ କରୁଛନ୍ତି ଜନତା । ଆଉ ଏହାର ଜବାବ ଭୋଟରେ ଦେଉଛନ୍ତି । କିଛି ଏଭଳି କହି ପଶ୍ଚିମ ଓଡ଼ିଶାରେ ବିଜେପିର ବିଫଳତା ପଛର ସ୍ପଷ୍ଟ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।