କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଫଳାଫଳର ଦ୍ୱିତୀୟ ଦିନରେ ବି ବିଜେଡି ଯଥେଷ୍ଟ ଆଗରେ ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ଏଭଳି ଆଗରେ ରହି ନିଜର ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି । ତୃଣମୂଳସ୍ତରରେ ବିଜେଡି କେତେ ସୁଦୃଢ ତାହା ପଞ୍ଚାୟତ ନିର୍ବାଚନର ଫଳାଫଳ ହିଁ ଦର୍ଶାଉଛି । ଆଉ ଏସବୁ ଭିତରେ ବିଜେଡିର ବିଜୟ ପଛରେ ମାଇକ୍ରୋ ମ୍ୟାନେଜମେଣ୍ଟ ବଡ ଭୂମିକା ଗ୍ରହଣ କରିଥିବା ନେଇ ଚର୍ଚ୍ଚା ହେଉଛି । ଆଉ ଏହି ମାଇକ୍ରୋ ମ୍ୟାନେଜମେଣ୍ଟକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଏହା ନିର୍ବାଚନ ପ୍ରଚାରର ନୂଆ ମାଧ୍ୟମ ସାଜିଲାଣି । ଟେକ୍ନୋଲୋଜିର ବ୍ୟବହାର ଯେତେ ଅଧିକ ହେବ ମାଇକ୍ରୋ ମ୍ୟାନେଜମେଣ୍ଟର ପ୍ରସଙ୍ଗ ନିଶ୍ଚିତ ଆଗକୁ ଆସିବ । ତେବେ କେବଳ ଯେ ବିଜେଡି ଏହାର ବ୍ୟବହାର କରୁଛି ତାହା ନୁହେଁ ବରଂ ମାଇକ୍ରୋ ମ୍ୟାନେଜମେଣ୍ଟର ସୂତ୍ର ବିଜେପି ଠାରୁ ହିଁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୨ ଗୁଜୁରାଟ ନିର୍ବାଚନ ଠାରୁ ହିଁ ଏହାର ବ୍ୟବହାର କରି ଆସୁଛନ୍ତି । ଯେତେବେଳେ ପ୍ରଶାନ୍ତ କିଶୋର ବିଜେପି ପାଇଁ ପ୍ରଚାର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଥିଲେ ସେତେବେଳ ଠାରୁ ହିଁ ଏହି ମାଇକ୍ରୋ ମ୍ୟାନେଜମେଣ୍ଟର ଜନ୍ମ ।
ମାଇକ୍ରୋ ମ୍ୟାନେଜମେଣ୍ଟର ଫର୍ମୁଲା ବିଜେପି ଆଣିଥିଲେ ମଧ୍ୟ ଓଡ଼ିଶାରେ ଏହା କାହିଁକି ସଫଳ ହୋଇନାହିଁ । ଆଉ ପଛର କାରଣ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମର୍ସିଡିଜ ଗାଡି ଓ ଖରାପ ଡ୍ରାଇଭରର ଉଦାହରଣ ଦେଇ ପ୍ରତାପ କହିଛନ୍ତି, ଯଦି ଜଣକୁ ମର୍ସିଡିଜ ଗାଡି ଦିଆଯାଏ ଏବଂ ତାହାର ଡ୍ରାଇଭର ଖରାପ ଥାଏ ତେବେ କଣ ହେବ । ତେଣୁ ଯିଏ ଏହି ଜ୍ଞାନକୌଶଳ ବ୍ୟବହାର କରିବ ସିଏ ଯଦି ମାନସିକ ଭାବେ ପ୍ରସ୍ତୁତ ଥିବା ଆବଶ୍ୟକ । ମାଙ୍କଡ ହାତରେ ଶାଳଗ୍ରାମ ଭଳି ଯଦି ଏଭଳି ଜ୍ଞାନକୌଶଳ ଦେବା ସତ୍ତେ୍ୱ ମଧ୍ୟ ଯଦି ବ୍ୟବହାରକାରୀ ଏହାକୁ ସଠିକ୍ ଢଙ୍ଗରେ ଚଲାଇ ପାରିବେନି କିମ୍ବା ଇଚ୍ଛାଶକ୍ତି ନଥିବ ତେବେ ଏଥିରେ ଜ୍ଞାନକୌଶଳକୁ ଦୋଷ ଦେଇ କିଛି ଲାଭ ନାହିଁ ।
ଖାଲି କମ୍ପ୍ୟୁଟରରେ ଦେଖିଦେଲେ ସଠିକ୍ ତଥ୍ୟ ସାମ୍ନାକୁ ଆସେନି, ଏଥିପାଇଁ ତୃଣମୂଳସ୍ତରକୁ ଓହ୍ଲାଇବାକୁ ପଡିଥାଏ । ଏସି ରୁମରେ ବସି ଷ୍ଟ୍ରାଟେଜି କରିବା ବଦଳରେ ମାଇକ୍ରୋ ମ୍ୟାନେଜମେଣ୍ଟ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପଡିବ । ବିରୋଧୀଙ୍କ ତୁଳନାରେ ବିଜେଡିର ଥିଙ୍କଟ୍ୟାଙ୍କ, ଷ୍ଟ୍ରାଟେଜିଷ୍ଟ ଗ୍ରାଉଣ୍ଡରେ ପହଞ୍ଚି ବା ହିଁ ପଞ୍ଚାୟତ ନିର୍ବାଚନ ଫଳାଫଳର ସଫଳତାକୁ ଦର୍ଶାଉଛି । ବିରୋଧୀ ଏ ଦିଗରେ ଧ୍ୟାନ ଦେବେ ନାହିଁ ବୋଲି ବିଜେଡି ଏହାକୁ ନେଇ ଆଗକୁ ବଢିବନି ତାହା ସମ୍ଭବପର ନୁହେଁ । ଆମେ ଏହାକୁ ସଫଳତାର ସହ ସମ୍ପାଦନ କରୁଛୁ, ବିରୋଧୀ କାହିଁକି ଏଥିରେ ସଫଳ ହେଉନାହାନ୍ତି ତାହାର ଉତ୍ତର ସେମାନଙ୍କ ପାଖରେ ରହିଛି ବୋଲି କହିଛନ୍ତି ପ୍ରତାପ ଦେବ ।