କନକ ବ୍ୟୁରୋ : ପ୍ରତାପଙ୍କୁ ଜବାବ ଦେଲେ ପ୍ରତାପ । ପଞ୍ଚାୟତ ଫଳାଫଳକୁ ନେଇ ବାଲେଶ୍ୱର ସାଂସଦ ଆଣିଥିବା ଅଭିଯୋଗର ଉତ୍ତର ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । କହିଲେ, ହାରିବା ଦଳ ସବୁବେଳେ ୩ଟି କଥା କୁହନ୍ତି । ପ୍ରଥମେ କହୁଥିଲେ, ଯନ୍ତ୍ରାଦେଶ, ତାହା ପରେ ସରକାରୀ କଳ, ଏବେ ବାହୁବଳ ଓ ଅର୍ଥବଳ ବାବଦରେ କହୁଛନ୍ତି । ଧନବଳ ନୁହେଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆମେ ସଙ୍ଗଠନକୁ ସୁଦୃଢ କରିଥିଲୁ । ଆଉ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନା ହିଁ ବିଜେଡିର ବିଜୟ ପଛର ବଡ କାରଣ । ବିକାଶମୂଳକ କାର୍ଯ୍ୟ ହିଁ ବିଜେଡି ବିଜୟର ବଡ କାରଣ, ଏହାଛଡା ତୃଣମୂଳସ୍ତରରେ ବିଜେଡି କର୍ମୀଙ୍କ ସକ୍ରିୟତା ହିଁ ଆମକୁ ପଞ୍ଚାୟତ ରେସରେ ଆଗରେ ରଖିଥିଲା ।

Advertisment

ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କ ବିରୋଧରେ ମାହୋଲ ତିଆରି କରୁଥିଲେ, ରାଜନୀତିକରଣ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏଥିରେ ସଫଳ ହେଲେ ନାହିଁ । ଲୋକଙ୍କ ପାଇଁ ବିରୋଧୀଙ୍କର ସ୍ୱର ଉଠିନଥିଲା । ତୃଣମୂଳସ୍ତରର ସ୍ଥିତିକୁ ନେଇ ପଞ୍ଚାୟତ ଭୋଟ ହୁଏ । କିନ୍ତୁ ଏହାକୁ ବିଜେପି ପକ୍ଷରୁ ଯେଉଁ ପ୍ରସଙ୍ଗ ଉଠାଯାଇଥିଲା ତାହା ଜନସାଧାରଣଙ୍କ ପାଇଁ ନୁହେଁ ବରଂ ରାଜନୈତିକ ଫାଇଦା ପାଇଁ ଥିଲା । ଶସ୍ତା ରାଜନୀତିରେ ମାତିଥିଲେ ବିରୋଧୀ ଦଳ, ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଲୋକଙ୍କୁ ଭ୍ରମିତ କରୁଥିଲେ । ଆମେ ତୃଣମୂଳସ୍ତରରେ ଲୋକଙ୍କ ସହ ଥିଲୁ, ଯାହାର ସୁଫଳ ବିଜେଡିକୁ ମିଳିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହୁଛନ୍ତି ତାହା ଅନେକାଂଶରେ ପୂରଣ କରୁଛନ୍ତି । ତୃଣମୂଳସ୍ତରରେ ଯୋଜନାର ସୁଫଳ ଲୋକେ ପାଉଛନ୍ତି କି ନାହିଁ ତାହା ଉପରେ ନଜର ରଖିଛନ୍ତି । ଲୋକଙ୍କ ସୁବିଧା ପାଇଁ ବିଜେଡି ଯୋଜନା କରାଯାଇଛି । ଯେଉଁଥିପାଇଁ ନବୀନଙ୍କୁ ଭରସା କରୁଛନ୍ତି ଲୋକେ । ଯେଉଁଠି ପ୍ରତିଶ୍ରୁତି ପାଳନ ହୁଏ ନାହିଁ ସେଠାରେ ଲୋକେ ପ୍ରତ୍ୟାଖାନ କରନ୍ତି । ପ୍ରତିଶ୍ରୁତି ପାଳନ କଲେ ଲୋକେ ପୁଣିଥରେ ସୁଯୋଗ ଦିଅନ୍ତି । ସେକଥା ବିଜେପି ଭଲଭାବେ ଜାଣିବା ଦରକାର । ପଶ୍ଚିମ ଓଡ଼ିଶାର ଫଳାଫଳ ହିଁ ଏହାର ସଂକେତ । ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳତା ପଛର କିଛି ଏଭଳି କାରଣ ଦର୍ଶାଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ଏହାପୂର୍ବରୁ ବିଜେଡିର ସଫଳତାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଥିଲେ ଯେ, ପଞ୍ଚାୟତ ନିର୍ବାଚନର ସାରା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଗଣତନ୍ତ୍ରର ଉପହାସ ହେଲା ଭଳି ଲାଗୁଛି । ସରକାରୀ କଳର ଦୁରୁପଯୋଗ କରାଯାଇଛି । ଏହା ଜନାଦେଶ ନୁହେଁ ଧନାଦେଶ । ଅର୍ଥବଳରେ ବିଜେପି ସମକକ୍ଷ ହୋଇପାରିଲାନି । ଗତଥର ଜିତିଥିବା ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ କାମ କରିବାକୁ ସୁଯୋଗ ଦିଆଗଲାନି । ଲୋକଙ୍କୁ ଭୟଭୀତ କରି ଭୋଟ ନିଆଯାଇଛି । ସ୍ୱାଧୀନ ଭାବେ ମତଦାନ ପାଇଁ ଲୋକଙ୍କୁ ସୁଯୋଗ ଦିଆଯାଇନି ବୋଲି କହିଥିଲେ ।