ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ନେବାକୁ କାହାର ସତସାହସ ନାହିଁ, ଲୋକଙ୍କୁ ଭ୍ରମିତ କରାଯାଉଛି । ବିଜେପି ସରକାରକୁ ପ୍ରତାପଙ୍କ ତୀର ।

500

କନକ ବ୍ୟୁରୋ : ରାଜ୍ୟରେ ନୂଆ ସରକାର ଆସିବା ପରେ ମଧ୍ୟ ରତ୍ନଭଣ୍ଡାରକୁ ନେଇ ତୁମ୍ବିତୋଫାନ ଜାରି ରହିଛି । ଗତକାଲି ସମ୍ବର୍ଦ୍ଧନା ସଭାରେ ରତ୍ନଭଣ୍ଡାର ନିଶ୍ଚୟ ଖୋଲାଯିବ ଏବଂ ମହାପ୍ରଭୁଙ୍କ ରତ୍ନରେ ଗଡବଡ ଥିଲେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାର ଆଜି ଜବାବ ରଖିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରତାପ ଦେବ କହିଛନ୍ତି, ରତ୍ନଭଣ୍ଡାର ଚାବିକୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା କରାଯାଉଛି ତାହାର କୌଣସି ଆବଶ୍ୟକତା ନାହିଁ । ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ଏଭଳି ଉକ୍ତି ରଖାଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯିବା ସହ ସଦସ୍ୟ ମଧ୍ୟ ଚୟନ କରାଯାଇଥିଲା । ସମସ୍ତ କଥା ଲୋକଙ୍କ ସାମ୍ନାରେ ହୋଇଛି । ରତ୍ନଭଣ୍ଡାର ଚାବି କିଏ ଲୁଚାଇ ନେଇଛି ବୋଲି କହି ଲୋକଙ୍କୁ ଭ୍ରମିତ କରାଯାଉଛି । ଏମିତି କାହାର ସତସାହସ ନାହିଁ ଯିଏ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଲୁଚାଇ ନେଇ ପଳାଇବ । ଏଭଳି ହୀନ କାମ କେହି କରିବେନି । ରତ୍ନଭଣ୍ଡାର ନେଇ ଲୋକଙ୍କୁ ମନଗଢା କାହାଣୀ କୁହାଯାଉଛି ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ନେଇ ପ୍ରତାପ କହିଛନ୍ତି, ବିଜେପି କ୍ଷମତାକୁ ଆସିଛି ଏବଂ ଲୋକଙ୍କ ଅଭିଯୋଗ ଶୁଣାଯାଉଛି ଏହା ଭଲ କଥା । ବିଜେଡି ସରକାରରେ ମଧ୍ୟ ପ୍ରତ୍ୟେକ ଶନିବାର ଅଭିଯୋଗ ଶୁଣାଣି ହେଉଥିଲା । ବିଜେପିକୁ ଯେତିକି ଜାଣିଛୁ ଏମାନେ ଛୋଟ କଥାକୁ ବଡ କହି ପ୍ରଚାର କରିବେ । ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି କହି କଟାକ୍ଷ କରିଛନ୍ତି ପ୍ରତାପ ଦେବ ।