ସଂସଦ ଶୁଣିଲା ନନାଙ୍କ ସଂସ୍କୃତ: ପୁଣି ସଂସଦରେ ଅନର୍ଗଳ ସଂସ୍କୃତ କହି ସମସ୍ତଙ୍କୁ ଚମକାଇ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ

853

କନକ ବ୍ୟୁରୋ: ପୁଣି ସଂସଦରେ ସଂସ୍କୃତ କହିଲେ ନନା । ନନାଙ୍କ ସଂସ୍କୃତ ଶ୍ଲୋକରେ କମ୍ପିଲା ପୂରା ସଂସଦ । ବେଦରୁ ଉପନିଷଦ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ପୂରା କଥାକୁ ସଂସ୍କୃତରେ ସମସ୍ତଙ୍କ ସାମ୍ନାରେ କହିଲେ ସାଂସଦ ପ୍ରତାପ ଷଡଙ୍ଗୀ । ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ ନେଇ ଆଲୋଚନା ହେଉଥିବା ବେଳେ ନିଜର ମତକୁ ସଂସ୍କୃତରେ କହିଥିଲେ ନନା ।

ସଂସ୍କୃତର ସୃଷ୍ଟି ଠାରୁ ଆରମ୍ଭ କରି ସଂସ୍କୃତ ପ୍ରଚଳନ ଓ ଗ୍ରହଣୀୟତା କଥା ଗୃହରେ କହିଥିଲେ ନନା । ସଂସ୍କୃତ ରାଷ୍ଟ୍ରର ପ୍ରାଣବିନ୍ଦୁ । ସଂସ୍କୃତ ବିନା ଭାରତର କଳ୍ପନା କରିବା ଅସମ୍ଭବ ବୋଲି ସାଂସଦ ଷଡଙ୍ଗୀ ମତ ରଖିଥିଲେ । ତେବେ ସବୁ ଭାଷାର କେନ୍ଦ୍ରବିନ୍ଦୁ ସଂସ୍କୃତ ଅର୍ଥାତ ସବୁ ଭାଷାର ଜନନୀ ସଂସ୍କୃତ । ତେଣୁ ଏହା ସାରା ବିଶ୍ୱରେ ଗ୍ରହଣୀୟ ବୋଲି ନନା ସଂସଦରେ କହିବା ପରେ ତାଳି ମାଡରେ କମ୍ପିଥିଲା ତମାମ ସଂସଦ ।

ଓଡିଆ ଭାଷା ସଂସ୍କୃତର ନିକଟର ଭାଷା ବୋଲି ନନା ମତ ରଖିଥିଲେ । ସେପଟେ ସମସ୍ତେ ପାଣିନି ବ୍ୟାକରଣ ପଢିବାର ଆବଶ୍ୟକତା ରହିଛି ବୋଲି ସଂସଦରେ ଆହ୍ୱାନ ଦେଇଥିଲେ ସାଂସଦ ଷଡଙ୍ଗୀ । ତେବେ ନନାଙ୍କ ସଂସ୍କୃତ ଶ୍ଳୋକ କହିବା ସମୟରେ ପୂରା ସଂସଦ ସ୍ତବ୍ଧ ହୋଇ ତାଙ୍କୁ ଶୁଣୁଥିଲା ।

ତେବେ ଖାଲି ଆଜି ନୁହେଁ ପୂର୍ବରୁ ମଧ୍ୟ ସଂସଦରେ ସଂସ୍କୃତ କହି ସାରା ଦେଶକୁ ଚକିତ କରି ସାରିଛନ୍ତି ନନା । ରାଷ୍ଟ୍ରପତିଙ୍କ ଅଭିଭାଷଣଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କକୁ ଆରମ୍ଭ କରିବାକୁ ଯାଇ ନନା ସଂସ୍କୃତରେ ଭାଷଣ ଆରମ୍ଭ କରିଥିଲେ । ମୋଦି ସରକାରଙ୍କ ସଫଳତା ସଂସ୍କୃତରେ କହିବା ସହ ଓଡିଶାର ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ କଥାକୁ ସଂସ୍କୃତରେ କହି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଉ ଆଜି ପୁଣି ସଂସଦରେ ଅନର୍ଗଳ ସଂସ୍କୃତ କହି ପୁଣି ସମସ୍ତଙ୍କୁ ଚମକାଇ ଦେଇଥିଲେ ନନା ।