କନକ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାର ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ କରିଛନ୍ତି । କିନ୍ତୁ ଏହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି । ସରକାର ଘୋଷଣା କରିଥିବା ସହାୟତା ରାଶି ମଧ୍ୟ ରୋଗୀର ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ଯାଜପୁରର ପ୍ରଶାନ୍ତ ରାଉତଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ଅସହାୟ ହୋଇପଡିଛନ୍ତି । ସରକାରୀ ସାହାଯ୍ୟ ମିଳୁନଥିବା ବେଳେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।

Advertisment

ଗରିବ ହେଲେ ବି ଦୁଃଖ ନ ଥିଲା । ଖୁସିରେ ପରିବାର ସହ କଟୁଥିଲା ଜୀବନ । ହେଲେ ଏବେ ଜୀବନ ପାଲଟିଛି ଯନ୍ତ୍ରଣାମୟ । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଖଣତାପଶି ଗାଁର ପ୍ରଶାନ୍ତ ରାଉତଙ୍କ କଥା । ପ୍ରଶାନ୍ତଙ୍କ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ମୋଟା ଅଙ୍କର ଅର୍ଥ ଆବଶ୍ୟକତା ରହିଛି । ଚିକିତ୍ସା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏପରି ଅବସ୍ଥାରେ ପ୍ରଶାନ୍ତ କାମ କରିବାକୁ ମଧ୍ୟ ଯାଇପାରୁନାହାନ୍ତି । ଚିକିତ୍ସା ପାଇଁ ପାଖରେ ଯାହା ଟଙ୍କା ଥିଲା ସବୁ ସରିଯାଇଛି । ନିଜର ଚିକିତ୍ସାଠୁ ଅଧିକ ଦୁଇ ଛୁଆଙ୍କ ପାଠପଢା ନେଇ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ ।

ବଡଚଣା ବ୍ଲକ ଖଣତାପଶି ଗାଁର ପ୍ରଶାନ୍ତ ରାଉତ । ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର । ପ୍ରଶାନ୍ତ ଜଣେ ଚାଷୀ ଓ ନିମ୍ନ ମଧ୍ୟବିତ ପରିବାରର ଲୋକ । ଚାଷରୁ ଯାହା ରୋଜଗାର କରନ୍ତି ସେଇଥିରେ ଚଳେ ତାଙ୍କ ପରିବାର । ଏବେ ସ୍ୱାମୀଙ୍କ ଏପରି ସମୟରେ କିଛି କରିପାରୁନଥିବାରୁ ପତ୍ନୀଙ୍କ ଆଖିରୁ ଲୁହ ଝରିପଡୁଛି । ଗରିବଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳୁଥିବା ଟଙ୍କା ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ତେଣୁ ତାଙ୍କୁ ଅଧିକ ସହାୟତାର ଆବଶ୍ୟକତା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଶାନ୍ତଙ୍କୁ କିଛି ସହଯୋଗ ମିଳିପାରିଲେ ଭଲ ହୁଅନ୍ତା । ତେବେ ପ୍ରଶାନ୍ତଙ୍କ ଏପରି ସ୍ଥିତିରେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପାଇଁ ଆପଣମାନେ ମଧ୍ୟ ଫୋନ୍ ପେ ନମ୍ବର ୯୬୬୮୪୬୧୫୧୬ ମାଧ୍ୟମରେ ସହାୟତା କରିପାରିବେ ।