କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି। ବିଜେଡରୁ ପ୍ରଶାନ୍ତ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳରୁ ନିଲମ୍ବନ ସହ ଖୋର୍ଦ୍ଧା ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଖୋର୍ଦ୍ଧା ଏନ୍ଏସି କାର୍ୟ୍ୟାଳୟ ପରିସରରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କର ଗିରଫ ଦାବିରେ ଥାନା ଆଗରେ ଧାରଣାରେ ବସିଥିଲେ।
ସୂଚନାଯୋଗ୍ୟ, ଆଜି ବାଲୁଗାଁ ଏନ୍ଏସି କାର୍ୟ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ କାର୍ୟ୍ୟକ୍ରମ ପାଇଁ ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଯୋଗ ଦେବାର କାର୍ୟ୍ୟକ୍ରମ ମଧ୍ୟ ରହିଥିଲା। ବିଧାୟକ ଏହି କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଦିନ ପ୍ରାୟ ୧୧ଟା ବେଳେ ପହଂଚିଥିଲେ।
ତେବେ ସ୍ଥାନୀୟ ବିଜେପିର ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବିଧାୟକଙ୍କ ଯୋଗ ଦାନକୁ ବିରୋଧ କରିଥିଲେ। କାର୍ୟ୍ୟାଳୟ ଫାଟକ ସମ୍ମୁଖରେ ବିଧାୟକଙ୍କୁ କାର୍ୟ୍ୟାଳୟ ମଧ୍ୟକୁ ପଶିବାକୁ ଦେଇନଥିଲେ। ଏହାକୁ ନେଇ ବିଧାୟକ ଓ ବିଜେପି ମଣ୍ଡଳ ସଭାପତିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତକ୍ଷିପ୍ତ ହୋଇ ବିଧାୟକ ମଣ୍ଡଳ ସଭାପତିଙ୍କୁ ମାରିବାପାଇଁ ହାତ ଉଠାଇଥିଲେ। ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ୧୦-୧୫ ମିନିଟ୍ ଧରି ପରସ୍ପର ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ନିରଂଜନ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ତେବେ ଥାନାରେ ଅଭିଯୋଗ ଭିତ୍ତିରେ ଏତଲା ଦାଏର ହୋଇନଥିବାରୁ ଅପରାହ୍ଣରେ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/prashanta-jagadev-1.jpg)