ବୋଲଗଡରେ ଆତଙ୍କରାଜ ଚଳାଇଥିବା ମାନସ ଦାସଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା : ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଛନ୍ତି ବିଜେଡି ବରିଷ୍ଠ ନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ; ସାଧାରଣରେ ଚର୍ଚ୍ଚା, ଏଥିପାଇଁ ପଦକ୍ଷେପ ନେଇପାରୁନି କି ପୁଲିସ

167

କନକ ବ୍ୟୁରୋ : ବୋଲଗଡ ଓ ବେଗୁନିଆ ଅଂଚଳରେ ସଂଗଠନ କରି ଆତଙ୍କ ଚଳାଇଥିବା ମାନସ ଦାସଙ୍କ ପ୍ରଭାବକୁ ନେଇ ଏବେ ସାଧାରଣରେ ଜୋର ଧରିଛି ଚର୍ଚ୍ଚା । ତାଙ୍କ ସହ କିଭଳି ରାଜ୍ୟର ପ୍ରଭାବଶାଳୀ ନେତାଙ୍କ ସମ୍ପର୍କ ରହିଥିଲା ଓ ସେହି ବଳରେ ବଳିୟାନ ଥିଲେ ତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ମାନସଙ୍କ ସେହିଭଳି ଏକ ଭିଡିଓ । ଏହି ଭିଡିଓରେ କର୍ମୀମାନଙ୍କ ସହ ଆସୁଛନ୍ତି ବରିଷ୍ଠ ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ।

ଏକ ଘର ଭିତରୁ ସାମନାପଟୁ ବାହାରୁଛନ୍ତି ମାନସ ଦାସ । ମାନସ ଦାସଙ୍କ ପାଖରେ ପାଇବା କ୍ଷଣି ମୁଣ୍ଡିଆ ମାରୁଛନ୍ତି ପ୍ରଶାନ୍ତ ନନ୍ଦ । ଅଭିନେତାରୁ ଏକାଧିକ ଥର ବିଧାୟକ ଓ ସାଂସଦ ବନିଥିବା ପ୍ରଶାନ୍ତ ନନ୍ଦ ଯେ ମାନସଙ୍କ ଠାରୁ ବୟସରେ ଢ଼େର ବଡ ହେବେ । ପ୍ରଶାନ୍ତ ନନ୍ଦଙ୍କର ହଜାର ହଜାର ପ୍ରଶଂସକ ରହିଛନ୍ତି, କିନ୍ତୁ ସେଭଳି ବ୍ୟକ୍ତି ଯେତେବେଳେ ମାନସଙ୍କୁ ମୁଣ୍ଡିଆ ମାରୁଛନ୍ତି ଆପଣ ଅନୁମାନ କରି ପାରୁଥିବେ ମାନସଙ୍କର ପ୍ରଭାବ କେତେ ଥିବ । ଆଉ ଏହି ପ୍ରଭାବ ଯୋଗୁଁ ବୋଧହୁଏ ମାନସଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲେ ବି ତାଙ୍କ ପାଖରେ ପହଁଚି ପାରିନି କିମ୍ବା ହାତ ମାରିନି ପୋଲିସ ।