କନକ ବ୍ୟୁରୋ : ପଦାରେ ପଡିଲା ବିରୋଧୀ ଏକତା । ବିଜେପିର ବିସ୍ତାର ଉପରେ ବ୍ରେକ ଲଗାଇବା ପାଇଁ ବିରୋଧୀ ରାଜନୈତିକ ଦଳ ଏକାଠି ହେବା ବଦଳରେ, ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର କଂଗ୍ରେସ ଓ ଟିଏମସି ମଧ୍ୟରେ ଏକ ଟ୍ୱିଟର କଳି ଏହାର ସୂଚନା ଦେଉଛି ।

Advertisment

୨୦୧୯ ଲୋକସଭା ନିର୍ବାଚନରେ ଆମେଠିରୁ ରାହୁଲ ଗାନ୍ଧୀଙ୍କ ପରାଜୟକୁ ପ୍ରସଙ୍ଗ କରି କଂଗ୍ରେସକୁ ଟାର୍ଗେଟ କରିଛି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ । ପ୍ରଥମେ ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ କଂଗ୍ରେସର ରାଜନୈତିକ କସରତକୁ ସମାଲୋଚନା କରିଥିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଏହାପରେ ସେହି ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଭୁପେଶ ବାଘେଲ । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରର ଜବାବ ରଖିଛି ଟିଏମସି । ତେବେ ଜାଣନ୍ତୁ କିଏ କଣ କହିଛନ୍ତି ...

ପ୍ରଶାନ୍ତ କିଶୋର - ଲଖିମପୁର ଖେରି ଘଟଣାକୁ ନେଇ ଦେଶର ସର୍ବ ପୂରାତନ ଦଳ, ବିରୋଧୀ ନେତୃତ୍ୱର ପୁନରୁଦ୍ଧାର କରିବାକୁ ଚାହୁଁଛି । ହେଲେ କେବଳ ହତାଶା ହିଁ ତାଙ୍କ ହାତରେ ଲାଗିଛି । କାରଣ ସେହି ଗ୍ରାଣ୍ଡ ଓଲ୍ଡ ପାର୍ଟିର ତୃଣମୂଳ ସ୍ତରରେ ଥିବା ସମସ୍ୟା ଓ ସାଂଗଠନିକ ଦୁର୍ବଳତାର କୌଣସି କ୍ୱିକ-ଫିକ୍ସ ସମାଧାନ ଦେଖାଯାଉ ନାହିଁ ।

ଭୁପେଶ ବାଘେଲ - ଯେଉଁମାନେ ନିଜ ଆସନ ମଧ୍ୟ ଜିତିପାରୁ ନାହାନ୍ତି, ସେମାନେ କଂଗ୍ରେସକୁ କ୍ଷତି ପହଂଚାଇ ଜାତୀୟ ବିକଳ୍ପ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଦୁର୍ଭାଗ୍ୟ ବସତଃ ଜାତୀୟ ବିକଳ୍ପ ହେବା ପାଇଁ ମିଳିତ ଉଦ୍ୟମ ଜରୁରୀ । ଏହାର ମଧ୍ୟ କୌଣସି କ୍ୱିକ-ଫିକ୍ସ ସମାଧାନ ନାହିଁ ।

ଟିଏମସି - ପ୍ରଥମଥର ମୁଖ୍ୟମନ୍ତ୍ରୀ ବନିଥିବା ନେତାଙ୍କ ନିକଟରୁ ଗମ୍ଭୀର ଶବ୍ଦସବୁ ବାହାରୁଛି । ଭୁପେଶ ବାଘେଲ ନିଜ କ୍ଷମତାଠାରୁ ଅଧିକ କହିବା ଆପଣଙ୍କ ପାଇଁ ସମ୍ମାନ ଆଣି ଦେବନାହିଁ । ହାଇକମାଣ୍ଡଙ୍କୁ ଖୁସି କରିବା ପାଇଁ କି ନିକୃଷ୍ଟ ପ୍ରୟାସ । ଆମେଠିରେ ଐତିହାସିକ ପରାଜୟ ପାଇଁ କଂଗ୍ରେସ କଣ ଆଉଏକ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ କରିବ ?