କନକ ବ୍ୟୁରୋ : ଗାନ୍ଧୀଙ୍କ ବିନା କଂଗ୍ରେସ । ଧୀରେ ଧୀରେ ଦୁର୍ବଳ ହେଉଥିବା କଂଗ୍ରେସ କେମିତି ସବଳ ହେବ, ଏଥିପାଇଁ ଏମିତି ଗୁରୁମନ୍ତ୍ର ଦେଇଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ଦଳକୁ ମଜଭୁତ କରିବାକୁ ହେଲେ ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ କଂଗ୍ରେସ ସଭାପତି କରିବାକୁ ପରାମର୍ଶ ଦେଇଛନ୍ତିି ପ୍ରଶାନ୍ତି । କିନ୍ତୁ ୟୁପିଏ ଅଧ୍ୟକ୍ଷ , ସଂସଦୀୟ କମିଟିର ଅଧ୍ୟକ୍ଷ ଓ ସମନ୍ୱୟ କମିଟିର ଅଧ୍ୟକ୍ଷ ପଦରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ରହିପାରିବେ ବୋଲି କହିଛନ୍ତି । ଯାହାକୁ ନେଇ ଓଡିଶା କଂଗ୍ରେସ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
କାମ କରିବ କି ପିକେ ଫର୍ମୁଲା? ବଦଳିବ କି କଂଗ୍ରେସର ଭାଗ୍ୟ? ‘ଗାନ୍ଧୀ’ ନେତୃତ୍ୱ ବିନା ଆଗକୁ ବଢ଼ିବ ଦଳ! କଂଗ୍ରେସକୁ କିପରି ପୁନରୁଦ୍ଧାର କରିହେବ, ହାଇକମାଣ୍ଡଙ୍କୁ ପ୍ରେଜେଂଟେସନ ଦେଇଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ୬୦୦ ପୃଷ୍ଠାର ପ୍ରେଜେଂଟେସନ୍ ମଧ୍ୟରୁ କିଛି ପେଜ୍ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଭର ପେଜ୍ରେ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ରଖିଛନ୍ତି ।

Advertisment

ପ୍ରଶାନ୍ତଙ୍କ ପ୍ରେଜେଂଟେସନର କିଛି ଅଂଶ ଭାଇରାଲ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍୍ ମିଡିଆରେ ପ୍ରସାରଣ ହେଉଛି । କଂଗ୍ରେସ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଦଳର ଢାଞ୍ଚାଗତ ପରିବର୍ତନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଫର୍ମୁଲା ଦେଇଛନ୍ତି ପ୍ରଶାନ୍ତ କିଶୋର । ଚର୍ଚ୍ଚା ହେଉଛି, ଚାରିଟି ଫର୍ମୁଲା ଉପରେ ଫୋକସ କରିଛନ୍ତି ପିକେ ।
ପିକେଙ୍କ ‘୪-ଏମ୍’ ଫର୍ମୁଲା
ଏମ୍ ୧- ମେସେଜ
ଏମ୍ ୨- ମେସେଞ୍ଜର
ଏମ୍ ୩- ମିଶନାରୀ
ଏମ୍ ୪- ମେକାନିକ୍ସ
କେଉଁ ବାର୍ତା ନେଇ ଲୋକଙ୍କ ପାଖକୁ ଯିବ, କେଉଁ ପଦ୍ଧତିରେ କାହା ଜରିଆରେ, କେଉଁମାନେ ଲୋକଙ୍କ ପାଖକୁ ଯିବେ, ଏ ନେଇ ବିସ୍ତୃତ ପ୍ରସ୍ତାବ ଦେଇଛନ୍ତି ।

ପ୍ରଶାନ୍ତଙ୍କ ସବୁଠୁ ବଡ଼ ପ୍ରସ୍ତାବ ମଧ୍ୟରେ ରହିଛି ।
- କଂଗ୍ରେସ ଅଧ୍ୟକ୍ଷ ଭାବେ ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ନିର୍ବାଚିତ କରିବା
- ୟୁପିଏ ଅଧ୍ୟକ୍ଷା ପଦରେ ରୁହନ୍ତୁ ସୋନିଆ ଗାନ୍ଧୀ
- କଂଗ୍ରେସ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀଙ୍କୁ ରହିବା ପାଇଁ ପ୍ରସ୍ତାବ
- ସମନ୍ୱୟ ସଂପାଦକ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦାୟିତ୍ୱ ଦିଆଯାଉ

ସେହିପରି ରାଜ୍ୟଗୁଡିକ ପାଇଁ ମଧ୍ୟ ସ୍ୱତନ୍ତ୍ର ରିପୋର୍ଟ ଦେଇଛନ୍ତି ପ୍ରଶାନ୍ତ କିଶୋର । କେଉଁଠି ପିସିସି ବଦଳିବ, କେମିତି ସଂଗଠନର ଆମୂଳ ଚୂଳ ପରିବର୍ତନ ହେବ, ଆଂଚଳିକ ଭିତିରେ ଦଳ କିପରି ଆଗକୁ ବଢ଼ିବ ପ୍ରସ୍ତାବ ରଖିଛନ୍ତି ପିକେ । ପ୍ରଶାନ୍ତଙ୍କ ଫର୍ମୁଲା ଦଳ ମଧ୍ୟରେ କିଛିଟା ଉତ୍ସାହ ଆଣିଛି ।
୨୦୨୪ରେ ସାଧାରଣ ନିର୍ବାଚନ । ଆଉ ଦୁଇ ବର୍ଷ ହାତରେ ରହିଛି । ଏପଟେ କଂଗ୍ରେସରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ପ୍ରଶାନ୍ତ କିଶୋର ଦଳକୁ ଉଦ୍ଧାର କରିବାରେ କେତେ ସହାୟକ ହେବେ, ତାହା ଦେଖିବାକୁ ବାକି ରହିଲା ।