କନକ ବ୍ୟୁରୋ : ମମତା ନନ୍ଦିଗ୍ରାମ ହାରିଯାଇଥିଲେ ବି ପଶ୍ଚିମବଙ୍ଗ ଲଢେଇ ପଛରେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା । ସେ ହେଉଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପିର ହେଭିୱେଟମାନଙ୍କ ସହ ଲଢେଇ କରିବାକୁ ମମତା ପ୍ରଶାନ୍ତ କିଶୋରଙ୍କୁ ନିଜର ପରାମର୍ଶଦାତା ନିଯୁକ୍ତି ଦେଇଥିଲେ । ଏବଂ ପ୍ରଶାନ୍ତ କିଶୋରଙ୍କ ରଣନୀତି ଶେଷରେ କାମ ଦେଲା ।
ଗୋଟି ଚଳାଇଲେ ପିକେ, ମାତ୍ ଖାଇଗଲେ ଚାଣକ୍ୟ । ଫୋକସ ରହିଲା ନନ୍ଦିଗ୍ରାମରେ, ଟିଏମସି ଆସିଲା ରାଇଜରେ ! ବିଶାଳ ନିର୍ବାଚନ ରାଲି, ପ୍ରଖର ପ୍ରଚାର, ଦେହ ତତାଇଲା ଭଳି ବୟାନ ଏବଂ ପରସ୍ପର ପ୍ରତି କଟୁ ମନ୍ତବ୍ୟର ଅନ୍ତିମ ପର୍ଯ୍ୟାୟ ସାମ୍ନାକୁ ଆସିଲା ଯେତେବେଳେ ଇଭିଏମ ଖୋଲିବା ସହ ଗୋଟିଏ ପରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀର ଟ୍ରେଣ୍ଡ ଦେଖାଇଲା, ବଙ୍ଗରେ ପୁଣି ଯୋଡାଫୁଲ୍ ଅର୍ଥାତ୍ ଟିଏମସିର ସରକାର ତିଆରି ହେବାକୁ ଯାଉଛି । ହେଲେ ଏହି ବିଜୟ ପଛର ପ୍ରମୁଖ ଚେହେରା ସାଜିଛନ୍ତି ବିଶିଷ୍ଟ ରଣନୀତିକାର ପ୍ରଶାନ୍ତ କିଶୋର ଅର୍ଥାତ୍ ପିକେ ।
ପିକେ ହେଉଛନ୍ତି ସେହି ଚେହେରା, ଯିଏ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଆଗରୁ କହିଥିଲେ, ବିଜେପି ଯଦି ଦୁଇ ସଂଖ୍ୟାକୁ ଅତିକ୍ରମ କରେ ତେବେ ସେ ନିଜ କାର୍ଯ୍ୟ ଛାଡିଦେବେ । ଆଉ ଶେଷରେ ସେୟା ହିଁ ହୋଇଛି, ୧୦୦ ତଳେ ରହିଛି ବିଜେପିର ସଂଖ୍ୟା ।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଉଁ ଗୋଟିଏ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଥିଲା ତା ହେଉଛି, ନିଜ ପାରମ୍ପରିକ ଆସନ ଭବାନୀପୁରକୁ ଛାଡି ଯେତେବେଳେ ମମତା ବାନାର୍ଜୀ ନିଷ୍ପତ୍ତି ଗ୍ରହଣ କଲେ ସେ କେବଳ ଗୋଟିଏ ଆସନ ଅର୍ଥାତ୍ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ । କୁହାଯାଉଛି ଏହା ପଛରେ ପ୍ରଶାନ୍ତ କିଶୋରଙ୍କର ସୁଚିନ୍ତିତ ରଣନୀତି ଥିଲା । କର୍ମୀଙ୍କ ମନରେ ଏହି ପଦକ୍ଷେପ ଜୋସ ଭରିବା ସହ ପୁରା ବିଜେପିର ନଜର ଏହି ଆସନରେ କେନ୍ଦ୍ରୀଭୂତ କରାଇବାରେ ସହାୟକ ହୋଇଥିଲେ ମମତା ।
ମମତାଙ୍କ ପାଇଁ ସିମ୍ପାଥି କାର୍ଡ ବେଶ ସହାୟକ ହୋଇଥିଲା । ଯେଉଁ ନନ୍ଦିଗ୍ରାମରେ ଆନ୍ଦୋଳନ ବେଳେ ମମତା ଗୁରୁତର ହୋଇ ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେହି ଆସନକୁ ଫେରି ଅଧିକାରୀ ପରିବାରକୁ ଖୋଲାଖୋଲି ଚ୍ୟାଲେଞ୍ଜ ବି ଦେଇଥିଲେ । ଯେଉଁ ଅଧିକାରୀ ପରିବାର ଟିଏମସି ସହ ଦୀର୍ଘଦିନର ସଂପର୍କକୁ ଛିନ୍ନ କରି ବିଜେପି ସହ ହାତ ମିଳାଇଲେ, ଏହା ଟିଏମସିକୁ କିନ୍ତୁ ଦୋହଲାଇ ପାରିନଥିଲା ।
ନନ୍ଦିଗ୍ରାମରେ ପ୍ରଚାର ବେଳେ ଆଗତ ହୋଇ, ଗୋଡରେ ବ୍ୟାଣ୍ଡେଜ ବାନ୍ଧି ହ୍ୱିଲ ଚେୟାରରେ ବସି ଯେଉଁଭଳି ପ୍ରଚାର ଏବଂ ରୋଡ ଶୋ ମମତା କରି ଚାଲିଥିଲେ, ତାହା ମଧ୍ୟ ଲୋକଙ୍କ ହୃଦୟକୁ ପ୍ରଭାବିତ କରିଥିଲା । ଜଣେ ଫାଇଟର୍ ଭାବେ ମମତାଙ୍କ ଚିତ୍ରଣ କରାଗଲା ଆଉ ଖେଲା ହୋବେର ନାରା ସାରା ପଶ୍ଚିମବଙ୍ଗରେ ଗୁଞ୍ଜରିତ ହେଲା ।
ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ପୁଣି ନିର୍ବାଚନ ରଣନୀତିକାର ଭାବେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛନ୍ତି ପ୍ରଶାନ୍ତ କିଶୋର । ୨୦୧୪ରେ ବିଜେପିର ବିଜୟ ପରଠାରୁ ଚର୍ଚ୍ଚାକୁ ଆସିଥିବା ପିକେ, ଏବେ ଜଣାଶୁଣା ମୋଦି ବିରୋଧୀ ଚେହେରା । ପୁରା ପଶ୍ଚିମବଙ୍ଗ ପାଇଁ ସେ ଯେଉଁଭଳି ରଣନୀତି କଲେ, ନୂଆ ଚେହେରାକୁ ସାମ୍ନାକୁ ଆଣିଲେ, ପୁରୁଣା ନେତାଙ୍କୁ ବାଦ ଦେଲେ, ତାହା ମମତାଙ୍କୁ ପୁଣି କ୍ଷମତାକୁ ଆଣିବାରେ ବେଶ ସହାୟକ ବି ହେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/pk.png)