‘୧୦ମ ଫେଲ୍ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଲାଲୁ ଯାଦବ । ହେଲେ ଆପଣଙ୍କ ପିଲାମାନେ…………’ ପଢନ୍ତୁ, ଲାଲୁ ଆଉ ତେଜସ୍ୱୀଙ୍କୁ ଟାର୍ଗେଟ କରି କଣ କହିଲେ ପ୍ରଶାନ୍ତ କିଶୋର ।

152

କନକ ବ୍ୟୁରୋ: ବିହାରରେ ଜନ ସୁରାଜ ପଦଯାତ୍ରା କରୁଛନ୍ତି ପ୍ରଶାନ୍ତ କିଶୋର । ଶନିବାର ଯାତ୍ରାର ୧୨୬ ତମ ଦିନରେ ଗୋପାଳଗଞ୍ଜର ଗାନ୍ଧୀ କଲେଜରୁ ଏହି ଯାତ୍ରାର ଆରମ୍ଭ କରିଛନ୍ତି ପ୍ରଶାନ୍ତ କିଶୋର । ତେବେ ଏହି ଯାତ୍ରା ସମୟରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କ ଉପରେ ବର୍ଷିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ।

ପ୍ରଶାନ୍ତ କିଶୋର କହିଛନ୍ତି, ବିହାରର ଲୋକ ମଜୁରୀ କରି ପେଟ ପୋଷୁଛନ୍ତି । ଅନେକ ଲୋକ ପାଠ ପଢିବା ପରେ ମଧ୍ୟ ଘରେ ବସିଛନ୍ତି । ହେଲେ ଲାଲୁଙ୍କ ପୁଅ ଦଶମ ପାସ୍ ନକଲେ ବି, ଲାଲୁ ଯାଦବଙ୍କୁ ତାଙ୍କର ଚିନ୍ତା ଅଛି । ଲାଲୁ ନିଜ ଦଶମ ପାସ୍ କରିନଥିବା ପୁଅକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ତେବେ ଲାଲୁଙ୍କ ଏପରି ଚିନ୍ତା କିଛି ଭୁଲ ନୁହେଁ , ବରଂ ସବୁ ବାପାମାନେ ନିଜ ପିଲା ପାଇଁ ଏମିତି ଚିନ୍ତା କରନ୍ତି ବୋଲି ସେ କହିଛନ୍ତି । ହେଲେ ଲୋକମାନେ ଭୋଟ୍ ଦେଲାବେଳେ ଚିନ୍ତା କରିବା ଉଚିତ୍ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ପ୍ରଶାନ୍ତ କିଶୋର ଲୋକଙ୍କୁ ଅଭିଭାଷଣ ଦେଇ କହିଛନ୍ତି, ଲୋକମାନେ ଜାତି ଧର୍ମ ଆଧାରରେ ଭୋଟ୍ ଦେଉଚନ୍ତି । ହେଲେ ଶିକ୍ଷା କଥା ଚିନ୍ତା କରି ଭୋଟ୍ ଦେଉନାହାଁନ୍ତି । ଲୋକମାନେ କେଉଁ ଆଧାରରେ ଭୋଟ୍ ଦେବା ଉଚିତ୍? ୫ କିଲୋ ରାସନ୍ ନା ପିଲାଙ୍କୁ ଶିକ୍ଷା ଆଧାରରେ ତାହା ଚିନ୍ତା କରିବାକୁ ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି ।

ଜନ ସୁରାଜ ପଦଯାତ୍ରାରେ ଲୋକଙ୍କ ସହ ଜନସମ୍ବାଦ କରିବା ସହିତ ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ଆପଣ ନିଜ ପିଲାଙ୍କ କଥା ଚିନ୍ତା କରିବେନି, ତେବେ ଦୁନିଆଁର କୌଣସି ବ୍ୟକ୍ତି ବି ଆପଣଙ୍କ ପିଲା ବିଷୟରେ ଚିନ୍ତା କରିବେନି । ପାଞ୍ଚ ବର୍ଷ ଜନତା ଶିକ୍ଷା, ରୋଜଗାର, ଓ ସମସ୍ୟାକୁ ନେଇ କଥାବାର୍ତ୍ତା କରନ୍ତି । ହେଲେ ଯେଉଁଦିନ ଭୋଟ୍ ହୁଏ, ସେହିଦିନ ସବୁ କଥାକୁ ଭୁଲି – ଧର୍ମ, ଜାତି ଆଧାରରେ ଭୋଟ୍ ଦେଇଥାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।