ଦଶନ୍ଧି ଦଶନ୍ଧି ଧରି ଜାତୀୟ ରାଜନୀତିରେ ରହିବ ବିଜେପିର ଦବଦବା । ସହଜ ହେବନି ବିଜେପିକୁ ହରାଇବା ।

194

କନକ ବ୍ୟୁରୋ: ଭାରତ ରାଜନୀତିର ବଡ଼ ଶକ୍ତି ବିଜେପି । ଆହୁରି ଦଶ ବର୍ଷ ସରକାର ଗଢିବ ଦଳ । ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଗୋଆର ଏକ ମ୍ୟୁଜିୟମରେ ଆଲୋଚନା ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ପ୍ରଶାନ୍ତ କିଶୋର । ବିରୋଧିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଏ ଧାରଣାରେ ନପଡନ୍ତୁ କି ଲୋକମାନେ ଭାଜପା ଉପରେ ରାଗିଛନ୍ତି ଆଉ ସେମାନେ ଭାଜପାକୁ ଶାସନ ବ୍ୟବସ୍ତାରୁ ବାହର କରିଦେବେ । ହୁଏତ ମୋଦି ନିଜ ଦାୟିତ୍ୱରୁ ହଟିଯାଇପାରନ୍ତି କିନ୍ତୁ ବିଜେପି କେଉଁଆଡେ ଯାଉନାହିଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ଆଗକୁ ଅନେକ ଦଶନ୍ଧି ଧରି ଭାଜପା ସହ ଲଢିବାକୁ ପଡିବ ବୋଲି ଚେତାଇ ଦେଇଛନ୍ତି ପ୍ରଶାନ୍ତ । କେବଳ ସେତିକି ନୁହେଁ ନିଜ ମନ୍ତବ୍ୟରେ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇ ପାରନ୍ତି । ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଗତ ମାସରେ ହୋଇଥିବା ତାଙ୍କ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ବିଜେପି ସପକ୍ଷରେ ଏଭଳି ମନ୍ତବ୍ୟ ଦେଇ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ପର୍ଯ୍ୟନ୍ତ ମୋଦିଙ୍କ ଶକ୍ତିକୁ ନ ବୁଝିଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ହରାଇବା ସହଜ ନୁହେଁ । ଖାଲି ସେତିକି ନୁହେଁ ଯେମିତି କଂଗ୍ରେସ ୪୦ ବର୍ଷ ଧରି ଶାମନ ଭାରରେ ଥିଲା ଠିକ ସେହିପରି ଭାଜପା ମଧ୍ୟ ରହିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ଭାରତୀୟ ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ର ନିର୍ବାଚନ ରଣନୀତୀକୁ ତୁଲାଇବାରେ ବେଶ ଅଭିଜ୍ଞତା ରହିଛି । ପ୍ରଶାନ୍ତଙ୍କ ଗୋଟି ଚାଳନାରେ ୨୦୧୪ରେ ଶାସନ ବ୍ୟବସ୍ଥାକୁ ଫେରିଥିଲା ଭାଜପା ଆଉ ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ୨୦୧୮ରେ ବିହାର ନିର୍ବାଚନରେ ନିତିଶ କୁମାରଙ୍କ ଜନତା ଦଳ ପାଇଁ ରଣନୀତିକାର ସାଜିଥିଲେ ପ୍ରଶାନ୍ତ । ଏହାଛଡା ଅନେକ ବଡ ବଡ ରାଜନେତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଜାତୀୟ ରାଜନୀତିରେ ଏକ ବଡ ଭୂମିକା ତୁଲାଉଥିବା ପ୍ରଶାନ୍ତ କିଶୋରଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ସରଗରମ ହୋଇଉଠିଛି ଜାତୀୟ ରାଜନୀତି । ତେବେ ଦେଖିବାକୁ ରହିଲା ଆଗାମୀ ଦିନରେ ପିକେଙ୍କ ଭିବିଷ୍ୟତବାଣୀ ଆଗାମୀ ଦିନରେ ଫଳପ୍ରଦ ହେଉଛି କି ନାହିଁ ।