ପ୍ରଶାନ୍ତ-ରାହୁଲ ଭେଟାଭେଟି । ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । 

156

କନକ ବ୍ୟୁରୋ: କଂଗ୍ରେସରେ  କ୍ଷମତା କନ୍ଦଳ ଲାଗି ରହିଥିବାବେଳେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ପ୍ରଖ୍ୟାତ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋର ଭେଟିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିଥିବା ସୂଚନା ମିଳିଛି । ତେବେ ଏହି ଭେଟଘାଟରେ ପଞ୍ଜାବରେ କଂଗ୍ରେସର ସ୍ଥିତି ଓ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିବା ସୂଚନା ମିଳୁଛି ।

ପଞ୍ଜାବରେ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଅଛି । ଯେଉଁଥିପାଇଁ ଅମରିନ୍ଦର ସରକାର ଏବେ ଫୁଲ ଦମରେ ଲାଗିପଡିଥିବାବେଳେ କଂଗ୍ରେସ ମଧ୍ୟ ନିଜ ଗଡ ବଞ୍ଚାଇବାକୁ କସରତ କରୁଛି । ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କ୍ଷମତା କନ୍ଦଳ ଦେଖିବାକୁ ମିଳୁଛି । ନବଜୋତ ପଞ୍ଜାବ ସରକାର ଓ ଦଳରେ ଉଚ୍ଚ ପଦ ପାଇଁ ଆଶା ରଖିଥିବାବେଳେ ଏହାକୁ ସଫଳ ହେବାକୁ ଦେଉନାହାଁନ୍ତି ଅମରିନ୍ଦର । ଅନ୍ୟପଟେ ନବଜୋତ ମଧ୍ୟ ଏକ ବୟାନ ଆଜି ଝଡ ସୃଷ୍ଟି କରିଛି । ସେ ଆପକୁ ପ୍ରଶଂସା କରିଥିବାବେଳେ, ପଞ୍ଜାବ ପାଇଁ କିଏ ଲଢୁଛି ତାହା ଲୋକ ଜାଣିଛନ୍ତି ବୋଲି କହିଛନ୍ତି । ଯାହାପରେ ସେ ଆପରେ ସାମିଲ ହୋଇପାରନ୍ତି ବୋଲି ଅନେକ ରାଜନୈତିକ ପଣ୍ଡିତମାନେ ଏବେ ଆକଳନ କରୁଛନ୍ତି ।

ଆଉ ଏହାରି ଭିତରେ ରଣନୀତିକାର ପ୍ରଶାନ୍ତ କିଶୋର, ରାହୁଲ ଗାନ୍ଧୀଙ୍କୁ ଭେଟିବା କିଛି ବଡ ସୂଚନା ଦେଉଛି । ଦୁହେଁ ପଞ୍ଜାବରେ କଂଗ୍ରେସର ସ୍ଥିତିକୁ ନେଇ ଆଲୋଚନା କରିଥିବା କୁହାଯାଉଛି । କାହିଁକି ନା , ପୂର୍ବରୁ ମଧ୍ୟ ଏହି ଜଣ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ କାମ କରିସାରିଛନ୍ତି । ଏହାପରେ ମଧ୍ୟ ପ୍ରଶାନ୍ତ କିଶୋର ଅନେକ ରାଜ୍ୟରେ ବିଭିନ୍ନ ଦଳର ରଣନୀତିକାର ହୋଇ ସେମାନଙ୍କୁ ସଫଳତା ଦେଇଛନ୍ତି । ତେଣୁ ରାହୁଲ କଂଗ୍ରେସ ସରକାରକୁ ପୁଣିଥରେ ପଞ୍ଜାବରେ ଜାରି ରଖିବାକୁ ପ୍ରଶାନ୍ତଙ୍କ ସହଯୋଗ ଲୋଡିପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଶାନ୍ତ କିଶୋର ଏନସିିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିସାରିଛନ୍ତି । ଯାହାକି ୟୁପିଏ-୨ ଗଠନ ନେଇ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏବେ ପ୍ରଶାନ୍ତ କିଶୋର, ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।