ଏନସିପି ନେତା ଶରଦ ପାୱାରଙ୍କ ଘରେ ପହଂଚିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ୨୦୨୪ ଲୋକସଭା ନିର୍ବାଚନକୁ ନେଇ ହୋଇପାରେ ଆଲୋଚନା

581

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କୁ ବିଜୟୀ କରାଇବା ପରେ ନିର୍ବାଚନୀ ରଣନୀତି କାର୍ଯ୍ୟ ଛାଡିଦେବାକୁ ଘୋଷଣା କରିଥିବା ପ୍ରଶାନ୍ତ କିଶୋର ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ପହଂଚିଛନ୍ତି । ୨୦୨୪ ରେ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଦଳ ନେତାମାନଙ୍କ ମଧ୍ୟରୁ କହାକୁ ଆଗକୁ ଅଣାଯିବ ତାହା ଉପରେ ଆଲୋଚନା ଚାଲିଛି । ଏହାରି ମଧ୍ୟରେ ପ୍ରଶାନ୍ତ କିଶୋର ଶରଦ ପାୱାରଙ୍କୁ ଭେଟିବା ରାଜନୀତି ମାହୋଲକୁ ସରଗରମ କରୁଛି ।

କିଛିଦିନ ଆଗରୁ ଶିବସେନା ନେତା ସଂଜୟ ରାୱତ ୟୁପିଏ-୨ କୁ ନେଇ ନିଜର ମତ ରଖିଥିଲେ । କଂଗ୍ରେସକୁ ଛାଡି ୟୁପିଏ-୨ ଗଠନ କରିବାକୁ ବିରୋଧୀଦଳ ମାନଙ୍କ ଭିତରେ ଚର୍ଚ୍ଚା ହେଉଛି । ସବୁଠାରୁ ବଡକଥା ବର୍ତ୍ତମାନ କଂଗ୍ରେସ ଦଳରେ ନେତୃତ୍ୱ ଅଭାବକୁ ନେଇ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥଳେ ଅନ୍ୟ ବିରୋଧୀଦଳ ମାନଙ୍କ ଭିତରୁ କିଏ ମୋଦିଙ୍କ ବିରୋଧରେ ମଜବୁତ ହୋଇ ଆଗକୁ ଆସିବ ତାହା ଚର୍ଚ୍ଚାର ପରିସଭୂକ୍ତ ହୋଇପାରେ । କହିରଖୁ କି ପ୍ରଶାନ୍ତ କିଶୋର ବର୍ତମାନ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି, ଜଗନମୋହନ ରେଡ୍ଡୀ,କ୍ୟାପଟେନ୍ ଅମରିନ୍ଦର ସିଂ, ମମତା ବାନାର୍ଜୀ ଓ ଉଦ୍ଧବ ଠାକରେଙ୍କ ଦଳପାଇଁ କାର୍ଯ୍ୟ କରିସାରିଛନ୍ତି ।

ପ୍ରଶାନ୍ତ କିଶୋର ଓ ଶରଦ ପାୱାରଙ୍କର ଏହି ଭେଟ ଶରଦ ପାୱାରଙ୍କ ମୁମ୍ବାଇସ୍ଥିତ ବାସଭବନରେ ହୋଇଛି । ସକାଳ ୧୦.୩୦ ରୁ ଆରମ୍ଭ ହୋଇଛି । ଶରଦ ପାୱାରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଆଜି ପ୍ରଶାନ୍ତ ଓ ଶରଦ ସାଙ୍ଗରେ ଲଂଚ୍ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, କଂଗ୍ରେସ ଓ ଶିବସେନା ୨୦୨୪ ଲୋକସଭା ନିର୍ବାଚନ ମେଣ୍ଟରେ ଲଢିବେ ବୋଲି ଆଶା କରାଯାଉଛି । ହେଲେ ଗତକାଲି ଏନସିପି ନେତା ସଂଜୟ ରାୱତ ପ୍ରଧାନମନ୍ତ୍ରୀଙ୍କୁ ଯେଭଳି ଭାବେ ପ୍ରଶଂସା କରିଛନ୍ତି ତାହାକୁ ନଜର କଲେ ଏହା ଉପରେ ବି ସନ୍ଦେହ ସୃଷ୍ଟି ହେବାରେ ଲାଗିଲାଣି ।