କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀାଙ୍କ ସହ ସାକ୍ଷାତ୍ ପରେ ଜୋର ଧରିଲା ଚର୍ଚ୍ଚା

257

କନକ ବ୍ୟୁରୋ: କଂଗ୍ରେସରେ ଯୋଗ ଦେଇ ପାରନ୍ତି ନିର୍ବାଚନ ରଣନୀତିକାର ତଥା ଜେଡିୟୁର ପୂର୍ବତନ ନେତା ପ୍ରଶାନ୍ତ କିଶୋର । ମଙ୍ଗଳବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବତ୍ରାଙ୍କ ସହ ସାକ୍ଷାତ୍ ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଁଚି ପ୍ରଶାନ୍ତ କିଶୋର ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ବରିଷ୍ଠ ନେତା ସୋନିଆ ଗାନ୍ଧି ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ଆଉ ଯାହା ସୂଚନା ମିଳିଛି ପ୍ରଶାନ୍ତ କିଶୋର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପାଇଁ ଏକ ବଡ ଦାୟିତ୍ୱ ନେଇ ପାରନ୍ତି । ସେପଟେ ବିଜେପିର କହିବା କଥା କଂଗ୍ରେସରେ ଗାନ୍ଧି ପରିବାର ବ୍ୟତୀତ ଅନ୍ୟ କାହାକୁ ବି ସମ୍ମାନ ମିଳେନି ।

ଗାନ୍ଧୀ ପରିବାର ସହ ପ୍ରଶାନ୍ତ କିଶୋରଙ୍କ ବୈଠକ ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ବୈଠକରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ନିର୍ବାଚନ କି ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ଯାହା ସ୍ପଷ୍ଟ କରୁଛି ସୋନିଆ ଓ ରାହୁଲ, ପ୍ରଶାନ୍ତ କିଶୋରଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିକାର ଭାବେ ଚୟନ କରି ପାରନ୍ତି । ଏହାପୂର୍ବରୁ ପ୍ରଶାନ୍ତ କିଶୋର ଏନସିପି ପ୍ରମୁଖ ଶରଦ ପୱାରଙ୍କ ସହ ମଧ୍ୟ ଦୁଇ ଦୁଇ ଥର ଭେଟି ଆଲୋଚନା କରିଛନ୍ତି । ଉଭୟ କଂଗ୍ରେସ ଓ ଏନସିପିର ଗୋଟିଏ ଲକ୍ଷ ବିଜେପି ବିରୋଧି ଏଜେଣ୍ଡା ପ୍ରସ୍ତୁତ କରିବା । ତେବେ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ତରଫରୁ ବର୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ ।