ଚିଲିକାରେ ପ୍ରଶାନ୍ତ ବନାମ ରଘୁ: ଦୁଇ ନେତାଙ୍କ କଳିରେ କାହାକୁ ଫାଇଦା? ୨୪’ ନିର୍ବାଚନରେ କ’ଣ ପଡିବ ପ୍ରଭାବ

230

କନକ ବ୍ୟୁରୋ: ବାଣପୁରରେ ଗାଡି ଚଢ଼ାଇ ବିବାଦରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ପୁଣି ଚର୍ଚ୍ଚାରେ । ମକର ସଂକ୍ରାନ୍ତିରେ ମନ୍ଦିର ମନ୍ଦିର ବୁଲିବା ସହ ନିଜ ଦଳର ନେତାଙ୍କୁ ମାରିଛନ୍ତି ତେରେଛା ବାଣ । ଚିଲିକାର ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ବି ସିଧାସଳଖ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ ଅଭିଯୋଗ କରିଛନ୍ତି, ବିଜେଡି ଓ ତାଙ୍କ ବିରୋଧରେ ପୂର୍ବତନ ବିଧାୟକ ରଘୁ ସାହୁ ଷଡଯନ୍ତ୍ର କରୁଛନ୍ତି । ମଦ ଓ ଟଙ୍କା ବାଂଟି ଜାଣି ଶୁଣି ବିଜେପି ଲୋକଙ୍କୁ ମତାଇ ଗଣ୍ଡଗୋଳ କରାଉଛନ୍ତି । ଯାହାର ସେ ପ୍ରଥମ ଶିକାର ହୋଇଛନ୍ତି । ବିଜେପି ନେତାଙ୍କୁ ଟଙ୍କା ଦେଇ ସେ ଗଣ୍ଡଗୋଳର ବାତାବରଣ ସୃଷ୍ଟି କରିଥିଲେ । ତାଙ୍କରି ଷଡ ଯନ୍ତ୍ରରେ ଗାଡି ଭଙ୍ଗାକୁ ଗାଡି ମଡାଯିବା କୁହାଯାଇଥିଲା ।

୨୦୧୯ ନିର୍ବାଚନରେ ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଇଥିଲା ବିଜେଡି । ପ୍ରଶାନ୍ତ ଜଗଦ୍ଦେବ ୨୦୧୪ରେ ବେଗୁନିଆରୁ ବିଧାୟକ ଥିଲେ । ରଘୁ ସାହୁ ୨୦୦୯ରେ ଚିଲିକାରୁ ଜିତିଥିଲେ ବି ୨୦୧୪ରେ ହାରିଯାଇଥିଲେ । ଏହା ପରେ ଉଭୟଙ୍କ ବିବାଦ ବଢିଛି ।

୨୦୨୨ ମାର୍ଚ୍ଚରେ ବାଣପୁର ବ୍ଲକ ଅଫିସ ଭିଡ ଭିତରେ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାକୁ ନେଇ ସେତେବଳେ ବହୁ ତୁମ୍ବିତୋଫାନ ହୋଇଥିଲା । ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଜେଲ ଯାଇଥିଲେ ପ୍ରଶାନ୍ତ ଜଗଦେବ । ବିଜେଡିରୁ ବି ସେ ନିଲମ୍ବିତ ହୋଇଥିଲେ । ତେବେ ସେ ପୁଣି ଥରେ ନିର୍ବାଚନ ଲଢ଼ିବେ ଓ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଦଳରୁ ତାଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ କହିଛନ୍ତି, କିଛି ଦିନ ଗଲେ ନିଲମ୍ବନ ଆଦେଶ ଉଠିଯିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ପ୍ରଶାନ୍ତ ।

ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରଶାନ୍ତ ଜଗଦେବ ଓ ରଘୁ ସାହୁଙ୍କ ବିବାଦ ଚିଲିକା ରାଜନୀତିକୁ ସରଗରମ କରିଛି । ୨୪ ନିର୍ବାଚନ ପୂର୍ବରୁ ଦୁଇ ନେତାଙ୍କ କଳି ସ୍ଥାନୀୟ ରାଜନୀତିକୁ କେଉଁ ଆଡକୁ ନେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।