ବାହୁବଳୀ ବିଧାୟକ ଗଲେ ଜେଲ୍ । ବାଲୁଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ବିବାଦରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ ।

166

କନକ ବ୍ୟୁରୋ: ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକଙ୍କ ଜାମିନକୁ ଖାରଜ କରିଦେଇଛନ୍ତି ଖୋର୍ଦ୍ଧା ଏଡିଜେ କୋର୍ଟ । ପୂର୍ବରୁ ହାଇକୋର୍ଟ ମଧ୍ୟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ପରିସରରେ ବିଜେପି କର୍ମୀଙ୍କ ମାଡ ମାରିବା ଅଭିଯୋଗରେ ତାଙ୍କ ନାଁରେ ବାଲୁଗାଁ ଥାନାରେ ଏତଲା ହୋଇଥିଲା । ତାଙ୍କ ନାଁରେ ଆଇପିସିର ଧାରା ୩୪୧, ୨୯୪, ୩୨୩, ୫୦୬, ୩୪ ଏବଂ ଏସସି ଏସଟି ନିରୋଧୀ ଆଇନର ଧାରା ୩ (୧) (ଆର) (ଏସ)ରେ ମାମଲା ହୋଇଥିଲା । ତେବେ ଏସସି, ଏସଟି ପ୍ରିଭେନ୍ସନ ଆକ୍ଟର ଧାରା ୧୮ରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ ।

ହାଇକୋର୍ଟରେ ଶୁଶାଣି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ସେ ଅକ୍ଟୋବର ୮ରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିବାକୁ ଚାହାନ୍ତି । ତେଣୁ କୋର୍ଟରେ ଏଥିରେ ସମ୍ମତି ଜଣାଇବା ସହ ସେହିଦିନ ତାଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ପ୍ରକାଶ ପାଇବ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁରେ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ସ୍ଥାନୀୟ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଚିଲିକା ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି । ହେଲେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରି ବାରମ୍ବାର ରାସ୍ତାକୁ ଓହ୍ଲାଇଥିଲା ବିଜେପି । ଏନଏସି କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍, ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବୟାନ ଆଧାରରେ ବିଧାୟକଙ୍କୁ ତୁରନ୍ତ ଗରିଫ କରିବାକୁ ଦାବି ଉଠିଥିଲା ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରିର ଭିଡିଓ ଅନେକ ସମୟରେ ଭାଇରାଲ ହୋଇଛି । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ପ୍ରତିପକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ଥାନାରେ ତାଙ୍କ ନାଁରେ ୧୦ରୁ ଅଧିକ ମାମଲା ମଧ୍ୟ ରହିଛି ।