କନକ ବ୍ୟୁରୋ : ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ ଯିବେ । ଭୁବେନଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ସରିବା ପରେ ଆଜି ତାଙ୍କୁ ଜେଲ ପଠାଇ ଦିଆଯିବ । ବାଣପୁର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନିଆଯିବ ।
ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ହିଂସାର ସବୁ ସୀମା ଟପିଯାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ପୁଲିସ, ସାମ୍ବାଦିକ, ସାଧାରଣ ଜନତା ଏଭଳି ୨୫ଜଣ ଆହତ ହୋଇଥିଲେ । ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ସେ ଆହତ ହୋଇଥିବାରୁ ଡାକ୍ତରଖାନାରେ ପ୍ରଶାନ୍ତ ଜଗଦେବ ଚିିକିତ୍ସା ଚାଲିଥିଲା । ଆଜି ତାଙ୍କୁ ଡାକ୍ତରଖାନାରୁ ସ୍ଥାନାନ୍ତରଣ କରି ଜେଲକୁ ପଠାଯିବ ।
ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାରକୀୟ କାଣ୍ଡ ଓ ସାଂଘାତିକ ଷଡଯନ୍ତ୍ର ସାରା ରାଜ୍ୟକୁ ଚକିତ କରି ଦେଇଥିଲା । ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଉପରେ ଗାଡି ଚଢାଇ ଦେଇଥିଲେ । ଏଥିରେ ୧୫ ବିଜେପି କର୍ମୀ ଆହତ ହୋଇଥିଲେ । ସେହିପରି ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ବି ଆହତ ହୋଇଥିଲେ । ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ୟକ୍ତ ଜନତା ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରିଥିଲେ ।