ପ୍ରଶାନ୍ତ ଜଗଦ୍ଦେବ: ନିଲମ୍ବିତ ବିଧାୟକଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା….

271

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ମାଡ଼ମରା । ଅଭିଯୋଗରେ ତାଲିକା ଲମ୍ବି ଚାଲିଥିବା ବେଳେ ଏଥର ଚିଲିକା ବିଧାୟକଙ୍କୁ ବିଜେଡିରୁ ନିଲମ୍ବିତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବେଗୁନିଆରୁ ଚିଲିକା, ବିଧାନସଭା କ୍ଷେତ୍ର ବଦଳିଥିଲା ସତ କିନ୍ତୁ ଜଗଦ୍ଦେବଙ୍କ ଗୁଣ୍ଡାରାଜ ଉପରେ ପଡ଼ିନଥିଲା ପୂର୍ଣ୍ଣଛେଦ । ବିଳମ୍ବରେ ହେଉ ପଛେ ଏହି ବାହୁବଳୀ ବିଧାୟକଙ୍କ ଗୁଣ୍ଡାରାଜ ଉପରେ ଲଗାମ୍ ଲଗାଇଛନ୍ତି ଦଳର ସଭାପତି ।

ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଏଭଳି ଅନେକ ଦାଦାଗିରିର ଖବର ସାମ୍ନାକୁ ଆସିଛି । ଯେମିତି କି ବେଗୁନିଆର ବିଧାୟକ ଥିବା ସମୟରେ ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ ଘଟଣା । ଏହି ମାମଲାକୁ ନେଇ ଅନେକ ବିତର୍କ ହୋଇଥିଲା, ତଥାପି ପ୍ରଶାନ୍ତଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।

ଏହାପରେ ପରେ ନିଜ କ୍ୱାର୍ଟର ନିକଟରେ ଜଣେ ଉଠାଦୋକାନୀଙ୍କୁ ଅସଭ୍ୟ ଭାଷାରେ ଗାଳିଦେଇ ନିନ୍ଦିତ ମଧ୍ୟ ସେ ହୋଇଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ଖାଲି ଏତିକି ନୁହେଁ ସେହିଭଳି ବେଗୁନିଆରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ବେଳେ ଭଙ୍ଗାରୁଜ୍ଜା ମଧ୍ୟ ସେ କରିଥିଲେ ଜଗଦ୍ଦେବ । ହେଲେ ଆଜିର ଘଟଣା, ଦଳର ଗାରିମା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଥିଲା । ପୁରା ଘଟଣା ଥିଲା କିଛି ଏହିଭଳି । ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ଚାଲିଥିଲା ଆବାସ ଓ ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମ । ଏତିକିବେଳେ କିଛି ବିଜେପି କର୍ମୀ ପହଁଚି ପ୍ରତିବାଦ କରିଥିଲେ । ବାସ୍ ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ପ୍ରଶାନ୍ତ ଜଗଦେବ । ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିଲେ । ଏପରିକି ଖବର ସଂଗ୍ରହ ପାଇଁ ପହଁଚିଥିବା ସାମ୍ବାଦିକ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଖୁଲମଖୁଲା ଭାବେ ଜଗଦ୍ଦେବଙ୍କ ଗୁଣ୍ଡାଗିରିର ଭିଡ଼ିଓ ଭାଇରାଲ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଦଳର ସୁପ୍ରିମୋ ।

ବଡ କଥା ହେଉଛି, ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏଭଳି ଦାଦାଗିରି ଖବର ଅନେକ ବାର ସାମ୍ନାକୁ ଆସିଛି । ପୂର୍ବରୁ ଏକାଧିକ ଥର ଆଇନକୁ ନିଜ ହାତକୁ ନେଇଥିଲେ ବି ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇନଥିଲା । ଚିଲିକା ବିଧାୟକ ହେବା ପରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ବଢିଛି । ଆଉ ସରକାରୀ ସ୍ତରରେ ତାଙ୍କ ବିରୋଧରେ ନା ଅଙ୍କୁଶ ଲାଗୁଥିଲା ନା ଦଳୀୟ ସ୍ତରରେ କାର୍ଯ୍ୟନୁଷ୍ଠାନ ହେଉଥିଲା । କିନ୍ତୁ କୁହାଯାଏ ସହିବାର ଗୋଟେ ସୀମା ଥାଏ, ଜଣେ ଜନପ୍ରତିନିଧିଙ୍କ ଏମିତି ଉଗ୍ରରୂପ ଶେଷ ସୀମା ଟପିବା ପରେ ଶେଷରେ ବାହୁବଳୀ ବିଧାୟକଙ୍କ ବିରୋଧରେ ଆକ୍ସନ ନେଲେ ନବୀନ ।