ବାପା-ପୁଅ ରାଜନୀତି ସୃଷ୍ଟି କରିଛି ନେତାଙ୍କ ପାଇଁ ଧର୍ମ ସଙ୍କଟ । ପୁଅ ରିଷଭ ବିରୋଧରେ ପ୍ରଚାର ବେଳେ କ’ଣ କହିବେ ବାପା ପ୍ରଶାନ୍ତ ନନ୍ଦ ?

219

କନକ ବ୍ୟୁରୋ : ପ୍ରଶାନ୍ତ ଓ ରିଷଭ । ବାପା ବିଜେଡିରେ, ପୁଅ ବିଜେପିରେ । ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି ବାପା-ପୁଅ ରାଜନୀତି । ଲୋକେ ଅପେକ୍ଷା କରି ରହିଛନ୍ତି, ଭିନ୍ନ ରାଜନୈତିକ ଆଭିମୁଖ୍ୟ ଭିତରେ ନିର୍ବାଚନ ମଇଦାନରେ କିପରି ସାମନା-ସାମନି ହେବେ ବାପା-ପୁଅ । ଯିଏ ଯେତେ ଯୁକ୍ତି ବାଢୁନା କାହିଁକି, ଏହି ବାପା-ପୁଅ ରାଜନୀତି ସୃଷ୍ଟି କରିଛି ନେତାଙ୍କ ପାଇଁ ଧର୍ମ ସଂକଟ ।

ପ୍ରଶାନ୍ତ ନନ୍ଦ । ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଓ ଦଳର ଷ୍ଟାର ପ୍ରଚାରକ । ଓଡିଆ ଚଳଚିତ୍ରକୁ ନୂଆ ଶିଖରରେ ପହଂଚାଇଥିବା ପ୍ରଶାନ୍ତ ନନ୍ଦ ରାଜ୍ୟ ରାଜନୀତିରେ ଦୀର୍ଘ ଦିନ ହେଲା ବେଶ ସକ୍ରିୟ ରହିଛନ୍ତି । ଭାରତୀୟ ଜନତା ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଦେଇ ଏବେ ବିଜୁ ଜନତା ଦଳରେ ନିଜର ପତିଆରା ଜାରି ରଖିଛନ୍ତି । ଦଳର ଜଣେ ଆଗଧାଡିର ଚେହେରା ଭାବରେ ନିକଟ ଅତୀତରେ ତାଙ୍କୁ ରାଜ୍ୟସଭା ପଠାଇଛି ଦଳ । ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାଙ୍କ ଦାୟିତ୍ୱ ମଧ୍ୟ ସ୍ପଷ୍ଟ କରିସାରିଛି ବିଜେଡି । ଦଳର ଷ୍ଟାର ପ୍ରଚାରକ ତାଲିକାରେ ରହିଛି ପ୍ରଶାନ୍ତ ନନ୍ଦଙ୍କ ନାଁ । ଅର୍ଥାତ ଦଳ ପାଇଁ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜ୍ୟସାରା ପ୍ରଚାର କରିବେ ପ୍ରଶାନ୍ତ ନନ୍ଦ ।

ଦୀର୍ଘ ୨୦ ବର୍ଷର ବିଜେଡି ସରକାରଙ୍କ ଉପଲବ୍ଧି ବାବଦରେ ଲୋକଙ୍କୁ ବୁଝାଇବା ସହ ପ୍ରତିପକ୍ଷ ଦଳଙ୍କ ବିରୋଧରେ ବର୍ଷିବେ । ବିଶେଷ କରି କେନ୍ଦ୍ରରେ କ୍ଷମତାରେ ଥିବା ଦୁଇଟି ଜାତୀୟ ଦଳ କଂଗ୍ରେସ ଓ ବିଜେପି କିଭଳି ବାରମ୍ବାର ଓଡିଶାକୁ ଅବହେଳା କରିଛନ୍ତି, ସେ ବାବଦରେ ଭୋଟରଙ୍କୁ ପ୍ରଭାବିତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ । ନିର୍ବାଚନ ପୂର୍ବରୁ ବିଜେପିକୁ ଡିଆଁ ମାରିଥିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ଆଉ ତାଙ୍କୁ ବେଗୁନିଆରୁ ବିଧାୟକ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ରରେ ମୋଦି ସରକାରଙ୍କ ୫ ବର୍ଷର ସଫଳତାକୁ ଆଧାର କରି ରାଜ୍ୟରେ ବିଜେଡି ବିରୋଧରେ ପ୍ରଚାର କରିବେ ରିଷଭ ।

୨୦୦୦ରେ ବିଜେପି ଟିକେଟରେ ଓ ୨୦୦୯ରେ ଏନସିପି ଟିକେଟରେ ବେଗୁନିଆ ବିଧାନସଭା ଆସନରୁ ଜିତିଥିଲେ ପ୍ରଶାନ୍ତ ନନ୍ଦ । ରାଜ୍ୟ ଏନସିପିର ବିଜେଡିରେ ବିଲୟ ପରେ ପ୍ରଶାନ୍ତ ନନ୍ଦଙ୍କୁ ବିଜୁ ଜନତା ଦଳରେ ମିଳିଥିଲା ଯଥେଷ୍ଟ ଗୁରୁତ୍ୱ । ଦଳର ମୁଖପାତ୍ର ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ଦଳର ଆଭିମୁଖ୍ୟ ଗଣମାଧ୍ୟମ ସାମ୍ନାରେ ରଖିଆସିଛନ୍ତି । ଏବେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଲ ଚିହ୍ନରେ ଲଢ଼ିବାକୁ ଯାଉଛନ୍ତି ରିଷଭ । ତେଣୁ ଦଳର ଷ୍ଟାର ପ୍ରଚାରକ ଭାବେ ପୁଅ ବିରୋଧରେ ପ୍ରଚାର ବେଳେ କଣ କହିବେ ବାପା ପ୍ରଶାନ୍ତ ନନ୍ଦ ତାହା ସବୁଠାରୁ ଉତ୍କଣ୍ଠାର ବିଷୟ ହୋଇଛି ।

ଦୁଇ ଭିନ୍ନ ଭିନ୍ନ ଦଳ ପାଇଁ ପ୍ରଚାର କରିବେ ବାପା ପ୍ରଶାନ୍ତ ନନ୍ଦ ଓ ପୁଅ ରିଷଭ ନନ୍ଦ । ରିଷଭ କହିଛନ୍ତି, ବାପା-ପୁଅ ଅଲଗା ଅଲଗା ଦଳରେ ରହିଲେ କିଛି ସମସ୍ୟା ହେବନାହିଁ । ପରିବାର ସଦସ୍ୟ ଦୁଇ ଭିନ୍ନ ରାଜନୈତିକ ଦଳରେ ଭିନ୍ନ ଭିନ୍ନ ଭୂମିକାରେ ରହି କାମ କରିବାରେ କିଛି ସମସ୍ୟା ନାହିଁ । ହେଲେ ନିର୍ବାଚନ ସମୟରେ ନିଜ ନିଜ ଦଳ ପାଇଁ ଭୋଟ୍ ମାଗିଲା ବେଳେ ଗୋଟିଏ ପରିବାରର ବାପା-ପୁଅଙ୍କ ପରସ୍ପର ବିରୋଧୀ ବୟାନବାଜି ହିଁ ରୋଚକ ହେବାକୁ ଯାଉଛି । ଯାହା ପ୍ରଶାନ୍ତ ଓ ରିଷଭଙ୍କ କ୍ଷେତ୍ରରେ ଦେଖିବାକୁ ମିଳିପାରେ ।