କନକ ବ୍ୟୁରୋ : ସରକାରଙ୍କ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଘୋଷଣା ପରେ ଜୋର ଧରିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କରିଛି ଅଭିଯୋଗ । ଯୋଜନା ପାଇଁ ମଞ୍ଜୁର ହୋଇଥିବା ୪ ହଜାର କୋଟିର ଆୟୁଷ କେତେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ଟଙ୍କା ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ବୋଲି ଅଭିଯୋଗ କରିଛି ଦଳ । ସେପଟେ ବିଜେପି କହିଛି ଏହା ରାଜ୍ୟ ସରକାରଙ୍କ ନୂଆ ନାଟକ । ବିଜୁ ଓଡିଶାରୁ ନବୀନ ଓଡିଶା ଆଡକୁ ଗତି କରୁଛି ବିଜେଡି ।

Advertisment

ସେପଟେ ଜବାବରେ ବିଜେଡି କହିଛି, ବିକାଶର ମହାମନ୍ତ୍ର ହେବ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ । ଗତକାଲି କ୍ୟାବିନେଟ୍ ନିଷ୍ପତ୍ତିରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଅନୁଦାନ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ କରାଯିବ ।

ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ । ପଂଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ପଠାଯିବ ।