କନକ ବ୍ୟୁରୋ : ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକଙ୍କ ଡାଲି ପକାଇବା ଘଟଣାକୁ ନେଇ ଶାସକ ଦଳ ଜବାବ ରଖିଛି । ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି । ବିଧାନସଭା ଆରମ୍ଭ ପରଠାରୁ ବିରୋଧୀ ଦଳର ଭୂମିକାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଗତକାଲି ଯେଉଁ ଘଟଣା ଘଟିଛି ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବାଚସ୍ପତିଙ୍କ ଆସନ କାହାର ବ୍ୟକ୍ତିଗତ ପଦବୀ ନୁହେଁ ତାହା ଏକ ସାମ୍ବିଧାନିକ ଆସନ । ତେଣୁ ଏହି ଆସନକୁ ସମ୍ମାନ ଜଣାଇବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ । ନାରାବାଜି କରିବା ସହ ଗୃହରେ ବିରୋଧୀ ହଟ୍ଟଗୋଳ କରିବାରେ କୌଣସି ବାଧକ ନାହିଁ । କିନ୍ତୁ ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ । ତାକୁ ବିଜେଡ଼ି ନିନ୍ଦା କରୁଥିବା କହିଛନ୍ତି ପ୍ରଶାନ୍ତ ।

Advertisment

ଏହାସହ ପ୍ରଶାନ୍ତ କହିଛନ୍ତି, ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବା ଦିନ ଠାରୁ ସଂଖ୍ୟା ଗରିଷ୍ଠତା ପାଇ ଆସୁଛି । ଆମେ କେବେ ଅହଙ୍କାର ଦେଖାଇ ନାହୁଁ। ଆମେ ଅହଂକାର ଦେଖାଇ ଥିଲେ ଲୋକେ ଆମକୁ ଭୋଟ ଦେଇ ନଥାନ୍ତେ । ବିରୋଧୀ ଦଳ ଭିତରେ ଅହଙ୍କାର ଭରି ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା । ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତେ ଭଲ ଭାବେ ଅବଗତ । ମୁଖ୍ୟମନ୍ତ୍ରୀଙ୍କ ସରଳତା ଓ ଶିଷ୍ଟାଚାର ବାବଦରେ ସମସ୍ତେ ଅବଗତ ଅଛନ୍ତି । ତେଣୁ ଏଠି କେହି କାହାକୁ ଧମକେଇବାର ପ୍ରଶ୍ନ ଉଠୁନାହିଁ । କିନ୍ତୁ ବିରୋଧୀ ଦଳର ଆଚରଣ ଅତ୍ୟନ୍ତ ଦୁଭାଗ୍ୟଜନକ ବୋଲି କହିଛନ୍ତି ପ୍ରଶାନ୍ତ ।