କଂଗ୍ରେସକୁ ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟ: କହିଲେ, କଂଗ୍ରେସରେ ନେତୃତ୍ୱ ନୁହଁ କାହାର ଦୈବୀ ଅଧିକାର

198

କନକ ବ୍ୟୁରୋ: ଶରଦ ପାୱାର-ମମତା ବାନାର୍ଜୀଙ୍କ ଭେଟଘାଟକୁ ନେଇ ଗୋଟିଏ ଚିତ୍ର ସାମ୍ନାକୁ ଆସିଥିଲା । ମମତା ୨୦୨୪ରେ ମୋଦୀଙ୍କୁ ଘେରିବାକୁ ତିଆରି କରୁଛନ୍ତି ବ୍ଲୁ ପ୍ରିଂଟ । ବିନା କଂଗ୍ରେସରେ ମମତା ଏପରି ଏକ ବିରୋଧୀ ମେଂଟ ଗଢିବାକୁ ଚାହୁଁଛନ୍ତି , ଯାହା ୨୦୨୪ରେ ମୋଦୀଙ୍କ ନେତୃତ୍ୱରେ ଭୋଟ୍ ଲଢୁଥିବା ବିଜେପିକୁ ଦେବ କଡା ଚ୍ୟାଲେଂଜ । ମମତାଙ୍କ ମେଂଟରେ କଂଗ୍ରେସକୁ ସ୍ଥାନ ନାହିଁ । ଗତ ୧୦ ବର୍ଷ ଧରି କଂଗ୍ରେସର ଦୁର୍ବଳ ରଣନୀତି, ବାରମ୍ୱାର ବିଜେପିକୁ ନିର୍ବାଚନ ମୈଦାନରେ ରୋକିବାରେ ବିଫଳ ହେବା ପରେ , ମମତା ଏପରି ଏକ ନୂଆ ମେଂଟ ନେଇ ବିଚାର କରୁଛନ୍ତି । ଏହିପରି ଘଡିସନ୍ଧି ସମୟରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି , ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ସେ ଟୁଇଟ କରିଛନ୍ତି, କଂଗ୍ରେସରେ ନେତୃତ୍ୱ ନେବା କାହାର ଦୈବୀ ଅଧିକାର ନୁହଁ । କଂଗ୍ରେସର ନୀତି ଓ ଆଦର୍ଶ ଏକ ମଜବୁତ୍ ବିରୋଧୀ ଦଳ ହିସାବରେ ଠିକ୍ । କିନ୍ତୁ କଂଗ୍ରେସରେ କୌଣସି ବ୍ୟକ୍ତିଙ୍କ ନିକଟରେ କେବଳ ନେତୃତ୍ୱ ନେବାର ଦୈବୀ ଅଧିକାର ରହିନାହିଁ , ଗତ ୧୦ ବର୍ଷରେ ଦଳ ୯୦ ପ୍ରତିଶତ ନିର୍ବାଚନ ହାରି ସାରିଛି ।

କଂଗ୍ରେସ କ୍ୟାମ୍ପ ଉପରେ ପିକେଙ୍କ ଟୁଇଟ୍ ଆକ୍ରମଣ । ଏହି ଟୁଇଟ୍ ଜରିଆରେ ସିଧାସଳଖ କଂଗ୍ରେସର ଶୀର୍ଷ ନେତୃତ୍ୱ ସୋନିଆ ଏବଂ ରାହୁଲଙ୍କ ନେତୃତ୍ୱରେ , କଂଗ୍ରେସକୁ ମିଳିଥିବା ବଡ ବିଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିକେ । ମମତା କଂଗ୍ରେସର ବାରମ୍ୱାର ରଣନୀତିକ ବିଫଳତାକୁ ନେଇ ତୃତୀୟ ମୋର୍ଚ୍ଚାରୁ କଂଗ୍ରେସକୁ ବାଦ୍ ଦେବାକୁ ବିଚାର କରୁଥିବା ସମୟରେ , ପିକେଙ୍କ ଏପରି ଏକ ଟୁଇଟ୍ ନିଆଁରେ ଘିଅ ଢାଳିବା ଭଳି ହୋଇଛି । ଆଗରୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ଦଳର ନେତୃତ୍ୱ ଓ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ବର୍ତମାନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ସୋନିଆଙ୍କ ବୟସ ୭୪ ବର୍ଷ । ସୋନିଆ-ରାହୁଲଙ୍କ ବାଦ୍ ଗାନ୍ଧି ପରିବାର ଅନ୍ୟ କାହା ହାତକୁ କ୍ଷମତା ଦେବା ମୁଡରେ ନାହିଁ । ବର୍ତମାନ ୫୧ ବର୍ଷୀୟ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯିବାକୁ ବାଟ ଖୋଜୁଛି । ୨୦୧୪ ଏବଂ ୨୦୧୯ରେ ସଫଳତା ସେତେ ମିଳିନଥିବାରୁ ରାହୁଲଙ୍କ ନେତୃତ୍ୱକୁ ନେଇ ବିଭିନ୍ନ ସମୟରେ ଦଳ ଭିତରୁ ଏବଂ ଦଳ ବାହାରୁ ସ୍ୱର ଉଠିଲାଣି । ଏନସିପି ମୁଖ୍ୟଙ୍କ ସହିତ ମମତାଙ୍କ ବୈଠକ ପରେ ମମତା ରାହୁଲଙ୍କ ବିଦେଶରେ ରହି , ଭାରତର ରାଜନୀତିକୁ ନିୟନ୍ତ୍ରଣ କରିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଗତ ଅକ୍ଟୋବର ମାସରେ ପିକେ ଗୋଆରେ ମଧ୍ୟ ଏକ ସଂଘାତିକ ଖୁଲାସା କରିଥିଲେ । ବିଜେପି ଆଗାମୀ ଦଶନ୍ଧୀ ଯାଏଁ କେନ୍ଦ୍ର ରାଜନୀତିରେ କୁଆଡେ ଯାଉନାହିଁ । ରାହୁଲଙ୍କ ସହିତ ସମସ୍ୟା ହେଉଛି, ସେ ନିଜ ତ୍ରୁଟିକୁ ଏଯାଏଁ ବୁଝି ପାରୁନାହାନ୍ତି । ଗତ ଅକ୍ଟୋବର ମାସରେ ୟୁପିର ଲଖିମପୁର ଖେରି ହିଂସାକାଣ୍ଡ ମୃତ୍ୟୁ ଘଟଣା ପରେ ମଧ୍ୟ କଂଗ୍ରେସକୁ ନେଇ ଟାର୍ଗେଟ୍ କରିଥିଲେ ପ୍ରଶାନ୍ତ କିଶୋର । ସେତେବେଳେ ପିକେ ଟୁଇଟ୍ କରି କହିଥିଲେ, ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳରେ , ତୁରନ୍ତ ସମସ୍ୟାର ସମାଧାନ ନେଇ ଆଶା କରୁଛନ୍ତି ଲୋକେ । କିନ୍ତୁ ଦୁର୍ଭାଗ୍ୟର କଥା ଏହାର କୌଣସି ତ୍ୱରିତ ସମାଧାନ ନାହିଁ . କାରଣ ଏହାର ସମସ୍ତ ସମସ୍ୟା ପୁରା ଭିତରକୁ ଯାଇଛି । କଂଗ୍ରେସର ମୁଖିଆ ସୋନିଆ ହୋଇଥିବା ବେଳେ, ୟୁପି ଘଟଣାରେ ରାହୁଲ-ପ୍ରିୟଙ୍କା ଆଗକୁ ଆସିବା ପରେ ଏପରି ଟୁଇଟ୍ କରିଥିଲେ ପିକେ । କହିଥିଲେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳକୁ ଏହାର ମୂଳ ସମସ୍ୟାକୁ ଦୂର କରିବା ଜରୁରୀ ।

୨୦୨୧ ମସିହାରେ ମମତାଙ୍କୁ ପଶ୍ଚିମବଙ୍ଗରେ ମିଳିଥିଲା ବଡ ବିଜୟ । ପିକେଙ୍କ ରାଜନୈତିକ ଘୋଷଣା ସତ ହୋଇଥିଲା, ବିଜେପି ତିନି ଅଙ୍କ ଛୁଇଁ ପାରିନଥିଲା । ବେଙ୍ଗଲରେ ମମତାଙ୍କୁ ବିଜୟ ଦେବା ପରେ ପିକେ କଂଗ୍ରେସ କ୍ୟାମ୍ପରେ ସାମିଲ ହେବା ନେଇ ଚର୍ଚା ଉଠିଥିଲା । ଏନେଇ ସେ ରାହୁଲ ସୋନିଆଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । କିଛି ଦିନ ପରେ ଏକ ସୂଚନା ଆସିଥିଲା କି କଂଗ୍ରେସ ସହିତ ପିକେଙ୍କ ଆଲୋଚନା ସଫଳ ହେଲାନି । ପିକେ କଂଗ୍ରେସ ପାର୍ଟିରେ କାମ କରିବାକୁ ଖୋଲା ସ୍ୱାଧୀନତା ଚାହୁଁଥିଲେ, ଯାହା ଗାନ୍ଧି ପରିବାର ଦେବାକୁ ଚାହିଁଲାନି । ଏହା ପର ଠାରୁ ପିକେ ସୁଯୋଗ ମିଳିବା ମାତ୍ରେ କଂଗ୍ରେସର ଦୋଷ ଦୁର୍ବଳତାକୁ ନେଇ ରାହୁଲ ଓ କଂଗ୍ରେସ ନେତୃତ୍ୱକୁ ପ୍ରଶ୍ନ କରିବା ସୁଯୋଗ ହାତଛଡା କରୁନାହାନ୍ତି ।