ଭୁବନେଶ୍ୱର ରାଜନୀତିରେ ହଲଚଲ । ବିଜେଡି ଛାଡିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା ।

371

କନକ ବ୍ୟୁରୋ: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଜୋରଦାର ପ୍ରଚାର ଚଳାଇଛନ୍ତି । ହେଲେ ଏତିକିବେଳେ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ସରଗରମ ହୋଇଛି ରାଜନୀତି । ଚର୍ଚ୍ଚା ହେଉଛି, ଖୁବଶୀଘ୍ର ସେ ବିଜେଡି ଛାଡିପାରନ୍ତି ଆଉ ବିଜେପିରେ ସାମିଲ ହୋଇପାରନ୍ତି । ଏନେଇ ପ୍ରସନ୍ନ କୌଣସି ସୂଚନା ଦେଇନଥିଲେ ବି, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

  • ଭୁବନେଶ୍ୱର ରାଜନୀତିରେ ବଡ ହଲଚଲ
  • ବିଜେଡି ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ!
  • ବିଜେପିରେ ମିଶିବା ନେଇ ଚର୍ଚ୍ଚା

ପ୍ରସନ୍ନ ବିଜେଡି ଛାଡିବା ଚର୍ଚ୍ଚାରେ କେତେ ସତ୍ୟତା ରହିଛି ଏବଂ ସେ ବିଜେପିରେ ମିଶିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହି ଖବର ରାଜନୈତିକ ମାହୋଲରେ ଆଲୋଚନାର ବିଷୟ ହୋଇଛି । ପ୍ରସନ୍ନ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ, ଭୁବନେଶ୍ୱର ରାଜନୀତିରେ କିଛି ପ୍ରଭାବ ପଡିବ କି ନାହିଁ ସେ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଛି । କୁହାଯାଉଛି, ସେ ବିଜେପିରେ ସାମିଲ ହେଲେ, ପ୍ରଚାରଠାରୁ ଆରମ୍ଭ କରି ଭୋଟ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିକୁ ଫାଇଦା ଦେଇପାରେ ।

ସୂଚନାଯୋଗ୍ୟ ଯେ, ପ୍ରସନ୍ନଙ୍କୁ ବିଜେଡି ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ବାରମ୍ବାର ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳଥିଲା । ସେ ମଧ୍ୟ ଗଣମାଧ୍ୟମ ସାମନାକୁ ଆସି ଟିକେଟ ପାଇବେ ବୋଲି ଆଶା ପ୍ରକଟ କରିଥିଲେ । ଚର୍ଚ୍ଚା ହେଉଛି ପ୍ରସନ୍ନ ଟିକେଟ ମିଳିବା ନେଇ କୌଣସି ସଙ୍କେତ ନପାଇବା ପରେ ଅପ୍ରସନ୍ନ ଅଛନ୍ତିି । ଆଉ ଏଭଳି ନିଷ୍ପତି ନେବାକୁ ଯାଉଛନ୍ତି ।