ଭୁବନେଶ୍ୱରରେ କିଏ ହେବେ ସାଂସଦ ପ୍ରାର୍ଥୀ? ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ, କହିଲେ ଦଳ ଟିକେଟ ଦେଲେ ଲଢ଼ିବି ନିର୍ବାଚନ ।

138

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା କ୍ଷେତ୍ର । ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ଏହି ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ସେଥିପାଇଁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ? କାହାକୁ କେଉଁ ଦଳରୁ ଟିକେଟ ମିଳିବ? ସେ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଆଲୋଚନା ହେଉଛି, ଏଥର ଭୁବନେଶ୍ୱରରେ ହେବ ମହିଳା ପ୍ରାର୍ଥୀର୍ଙ୍କ ମଧ୍ୟରେ ଟକ୍କର । ହେଲେ, ଏବେ ବି ଟିକେଟ୍ ଆଶା ଛାଡି ନାହାନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ।

  • ଭୁବନେଶ୍ୱରରେ କିଏ ହେବେ ବିଜେଡିର ସାଂସଦ ପ୍ରାର୍ଥୀ ?
  • ପାଟ୍ଟଶାଣୀଙ୍କ କହିଲେ, ‘ଟିକେଟ ମିଳିଲେ ଲଢ଼ିବି’

ଶାସକ ଦଳ ବିଜେଡିରୁ ଟିକେଟ ପାଇବା ପାଇଁ ଅନେକ ଆଶାୟୀ ରହିଛନ୍ତି । ସବୁ ନିର୍ବାଚନମଣ୍ଡଳୀ ଭଳି ଭୁବନେଶ୍ୱର ଲୋକସଭା ଆସନ ଉପରେ ବି ଅନେକଙ୍କ ନଜର ରହିଛି । ଚର୍ଚ୍ଚାରେ ରହିଛନ୍ତି ବିଜେଡି ମୁଖପାତ୍ର ତଥା, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । କୁହାଯାଉଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କାଉଁଟର କରିବାକୁ ବିଜେଡି ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ ଦେଇଛି । ଆଉ ୨୦୨୪ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇପାରନ୍ତି । ଅନ୍ୟପଟେ ଏବେ ବି ଟିକେଟ ଆଶାରେ ଅଛନ୍ତି ଭୁବନେଶ୍ୱରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ । ଆଉ ୨୦୨୪ ନିର୍ବାଚନରେ ଟିକେଟ ମିଳିଲେ ଲଢ଼ିବେ ବୋଲି କହିଛନ୍ତି ।

୨୦୧୯ରେ ସମସ୍ତଙ୍କୁ ଚମକାଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନିର୍ବାଚିତ ହୋଇଥିବା, ଅପରାଜିତା ଷଡଙ୍ଗୀ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଅପରାଜିତା, ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇ ଭୁବନେଶ୍ୱର ଆସନରୁ ବିଜୟୀ ହୋଇଥିଲେ । ଆଉ ସେ ଏଥର ବି ବିଜେପିର ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ଏଥିପାଇଁ ସେ ନିର୍ବାଚନ ମଣ୍ଡଳୀରେ ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତେବେ ସେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟରେ ଲଢ଼ିବେ ନା କୌଣସି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବେ? ତାହା ଦଳର ନିଷ୍ପତି ଉପରେ ଛାଡି ଦେଇଛନ୍ତି ।

ଭୁବନେଶ୍ୱର ରାଜନୀତିକୁ ଅତି ପାଖରୁ ଦେଖିଥିବା ରାଜନୀତି ସମୀକ୍ଷକଙ୍କ ମତରେ ଆଗାମୀ ନିର୍ବାଚନରେ ଭୁବନେଶ୍ୱରେ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇପାରେ । ତେବେ ୨୦୧୯ରେ ସିପିଏମକୁ ଆସନ ଛାଡି ଦେଇଥିବା କଂଗ୍ରେସ ଏଥର ପ୍ରାର୍ଥୀ ଦେବ ବୋଲି, କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ତେବେ ସମସ୍ତେ ଟିକେଟ ପାଇଁ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ କାହାକୁ ଟିକେଟ ମିଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।