ବିଜୁ ଜୟନ୍ତୀ ପାଳନ ବେଳେ ଅଶୋକ ଦାସଙ୍କୁ ମନେ ପକାଇଲେ ପାଟ୍ଟଶାଣୀ । ବାପାଙ୍କ କଥା କହୁଥିବାରୁ ପ୍ରଣବଙ୍କୁ ବିରକ୍ତ ନହେବା ପାଇଁ କଲେ ଅନୁରୋଧ ।

1,064

କନକ ବ୍ୟୁରୋ: ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ବେଳେ ଅଭିଭାଷଣ ରଖିଥିଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଏତିକିବେଳେ ବିଜୁ ବାବୁଙ୍କ ସହ ତାଙ୍କର ଓ ପୂର୍ବତନ ନେତା ଅଶୋକ ଦାସଙ୍କ ସଂପୃକ୍ତିକୁ ମନେ ପକାଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । କହିଥିଲେ ବିଜୁ ବାବୁ ଅଶୋକ ଦାସଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ । ହେଲେ ସେ ରାଜି ନଥିବାରୁ ଏଥିପାଇଁ ତାଙ୍କୁ ମନାଇବାକୁ ସେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପଠାଇଥିଲେ । କିନ୍ତୁ ମନ୍ତ୍ରୀପଦ ପାଇଁ ମନା କରିଦେଇଥିଲେ ଅଶୋକ ଦାସ । ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଓରଫ ବବି ମଧ୍ୟ ଠିକ ବାପାଙ୍କ ଭଳି କୌଣସି ମନ୍ତ୍ରୀ ପଦପଦବୀରେ ନରହି ଦଳ ପାଇଁ କାମ କରୁଥିବା କଥା କହିଥିଲେ ପ୍ରସନ୍ନ ।

ତେବେ ସଭାମଂଚରେ ବାପାଙ୍କ କଥା କହି ତାଙ୍କ ପ୍ରଶଂସା କରୁଥିବାରୁ ବୋଧହୁଏ ଅଶ୍ୱସ୍ତି ଅନୁଭବ କରିଥିଲେ ପ୍ରଣବ । ଆଉ ତାଙ୍କୁ ଏଭଳି ନକହିବାକୁ ସଭା ତଳୁ ଇଙ୍ଗିତ କରିଥିଲେ । ତେଣୁ ନିଜ ଭାଷଣରେ ବବି ଚିଡୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ ।

ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ନିଜ ଅଭିଭାଷଣ ଶେଷ କରି ମଂଚରୁ ତଳକୁ ଓହ୍ଲାଇବା ପରେ ତାଙ୍କ ନିକଟକୁ ଯାଇଥିଲେ ପ୍ରଣବ ପ୍ରକାଶ ଦାସ । ନିଜ ବସିଥିବା ସ୍ଥାନରୁ ଉଠିଯାଇ ପ୍ରସନ୍ନଙ୍କ ନିକଟକୁ ଯାଇଥିବାବେଳେ କିଛି କଥା ହୋଇଥିଲେ । ବୋଧହୁଏ ଭାଷଣରେ କାହିଁକି ତାଙ୍କର ଏଭଳି ପ୍ରଶଂସା କଲେ ବୋଲି କହୁଥାଇ ପାରନ୍ତି । ତେବେ ଏହାପରେ ବବିଙ୍କୁ କୁଣ୍ଢାଇ ପକାଇଥିଲେ ପ୍ରସନ୍ନ ପାଟ୍ଟଶାଣୀ ।