ପାଟ୍ଟଶାଣୀଙ୍କୁ ପସନ୍ଦ ନୁହେଁ ନୂଆ ମୁହଁ । ବାବାଙ୍କ ଭବିଷ୍ୟବାଣୀ, ନୂଆ ମୁହଁକୁ ସୁଯୋଗ ମିଳିଲେ ପ୍ରଚାର ଆରମ୍ଭ କରିବା ବେଳକୁ ସରିଯାଇଥିବ ସମୟ ।

553

କନକ ବ୍ୟୁରୋ : ପ୍ରଥମ ୨ଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି ବିଜେଡି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଓ ୪୨ ବିଧାନସଭାରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି । ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡିଶାର ଅଧିକାଂଶ ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଏଠାରେ ଦଳ କାହା ଉପରେ ଭରସା କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖାସକରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଏବେ ମାନସମନ୍ଥନ ଆରମ୍ଭ ହୋଇଛି । ଦଳ ପୁରୁଣା ମୁହଁ ଉପରେ ଭରସା କରିବ ନା ନୂଆ ମୁହଁଙ୍କୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗିରହିଛି ।

ଭୁବନେଶ୍ୱର ଲୋକସଭା ଆସନକୁ ନେଇ ବିଜେଡି ଶିବିରରେ ମାନସମନ୍ଥନ ଚାଲିଥିବା ବେଳେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦେଇଛନ୍ତି ବଡ ବୟାନ । ନବୀନ ନିବାସରୁ ଫେରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବା କହିଛନ୍ତି, ଟିକେଟ ନେଇ ବିଜେଡି ସୁପ୍ରିମୋ ନିଷ୍ପତି ନେବେ । ମୁଁ ଟିକେଟ ପଛରେ ଗୋଡାଏ ନାହିଁ, ମୁଁ ଏମିତି କିଛି କରିଥାଏ ଯାହାଫଳରେ ସୁପ୍ରିମୋ ଟିକେଟ ନିଷ୍ପତି ନେବା ବେଳେ ମୋ ଉପରେ ଆସ୍ଥା ପ୍ରକଟ କରିଥାନ୍ତି । ତେବେ ଯଦି ଭୁବନେଶ୍ୱର ଆସନ ପାଇଁ ନବୀନ ନୂଆଁମୁହଁଙ୍କୁ ସୁଯୋଗ ଦିଅନ୍ତି ତେବେ ସେ ୭ଟି ନିର୍ବାଚନମଣ୍ଡଳୀକୁ ବୁଲିବା ଭିତରେ ସମୟ ସରି ଯାଇଥିବ । ଆଉ ଏଭଳି କହି ବାବା ପରୋକ୍ଷରେ ବିଜେଡି ଶିବିରକୁ ତେରଛା ବାଣ ମାରିଛନ୍ତି ।

ଚଳିତଥର ଭୁବନେଶ୍ୱର ଆସନ ପାଇଁ ବାବା ପାଟ୍ଟଶାଣୀଙ୍କ ବଦଳରେ ନୂଆଁମୁହଁଙ୍କୁ ବିଜେଡି ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ବାବା ପାଟ୍ଟଶାଣୀଙ୍କୁ ଲୋକସଭା ବଦଳରେ ବିଧାନସଭାରେ ପ୍ରାର୍ଥୀ କରିବାକୁ ଦଳର ଷ୍ଟ୍ରାଟେଜିଷ୍ଟ ମାନେ ଯୋଜନା କରୁଥିବା ଜଣାପଡିଛି । ତେବେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପାଟ୍ଟଶାଣୀଙ୍କ ବଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଦଳ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଅରୂପ ମଧ୍ୟ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ବୁଲିବା ସହ ନିଜର ଜନସର୍ମ୍ପକ ବଢାଉଥିବାର ଦେଖିବାକୁ ମିଳୁଛି ।

ଆଉ ଏଭଳି ସମୟରେ ବାବା ପାଟ୍ଟଶାଣୀଙ୍କ ବୟାନ ଏକ ଭିନ୍ନ ଦିଗ ଆଡକୁ ଇଙ୍ଗିତ କରୁଛି । ଯାହା ଦର୍ଶାଉଛି ନୂଆ ମୁହଁଙ୍କୁ ପସନ୍ଦ କରୁନାହାନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଏପରିକି ନୂଆ ମୁହଁଙ୍କୁ ସୁଯୋଗ ଦେଲେ ସେ ୭ଟି ନିର୍ବାଚନମଣ୍ଡଳୀରେ ବୁଲିବା ବେଳକୁ ସମୟ ସରିଯାଇଥିବ ବୋଲି କହି ପରୋକ୍ଷରେ ବିଜେଡି ସୁପ୍ରିମୋଙ୍କୁ ସର୍ତକ କରାଇ ଦେଇଛନ୍ତି ପାଟ୍ଟଶାଣୀ । ଏହି ବୟାନ ଏବେ ବିଜେଡି ଶିବିରରେ ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ଗୋଟିଏ ପଟେ ବିଜେପି ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ମାରିଥିବା ବେଳେ ବିଜେଡି ମଧ୍ୟ ସେହିଭଳି ଜଣେ ନିର୍ବିବାଦୀୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଯିଏ ଅପରାଜିତାଙ୍କୁ କଡା ଟକ୍କର ଦେଇପାରିବ । ତେଣୁ ବିଜେଡିର ଏଭଳି ମାପଦଣ୍ଡରେ ବାବା ପାଟ୍ଟଶାଣୀ ଫିଟ୍ ହେଉନଥିବା ଚର୍ଚ୍ଚା ହେଉଛି । ଲଗାତାର ଏହି ଆସନରୁ ବିଜୟୀ ହୋଇ ଆସୁଥିବା ପାଟ୍ଟଶାଣୀଙ୍କ ବିରୋଧରେ ଏବେ ଜନଅସନ୍ତୋଷ ବଢୁଥିବା ବେଳେ ଦଳ ନୂଆ ଯୋଦ୍ଧାଙ୍କୁ ନେଇ ନିର୍ବାଚନ ରଣଭୂମିରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଭୁବନେଶ୍ୱର ପାଇଁ ବିଜେଡିର ଚିତ୍ର ସ୍ପଷ୍ଟ ହେବ ।