ଅଶ୍ୱିନୀଙ୍କ ଖୋଲା ଚ୍ୟାଲେଞ୍ଜର ଜବାବ ରଖିଲା ବିଜେଡି । ପ୍ରସନ୍ନ କହିଲେ, ଜମି ପାଇଁ କେବେ ଚିଠି ଲେଖିଥିଲା କେନ୍ଦ୍ର, ଲାଭଜନକ ନୁହେଁ ପ୍ରକଳ୍ପ ବନ୍ଦ କରିବାକୁ କେନ୍ଦ୍ର ଲେଖିଥିଲା ଚିଠି ।

ଅଶ୍ୱିନୀଙ୍କ ଖୋଲା ଚ୍ୟାଲେଞ୍ଜର ଜବାବ ରଖିଲା ବିଜେଡି । ପ୍ରସନ୍ନ କହିଲେ, ଜମି ପାଇଁ କେବେ ଚିଠି ଲେଖିଥିଲା କେନ୍ଦ୍ର, ଲାଭଜନକ ନୁହେଁ ପ୍ରକଳ୍ପ ବନ୍ଦ କରିବାକୁ କେନ୍ଦ୍ର ଲେଖିଥିଲା ଚିଠି ।

କନକ ବ୍ୟୁରୋ : ପଦ୍ମପୁରରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜର ଜବାବ ରଖିଛି ବିଜେଡି । ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କ ଉପରେ ଯେଉଁ ଦୋଷ ଲଦିଥିଲେ ତାହାର ପ୍ରତିଜବାବ ରଖିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ସରକାର କାଲି ଜମି ଦେଲେ ପହରଦିନ ଠାରୁ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଜମି ମାଗିବାର ଫୋରମ ନିର୍ବାଚନୀ ସଭା ନୁହେଁ । କିନ୍ତୁ ଏଭଳି କହି ଲୋକଙ୍କୁ କାହିଁକି ବୋକା ବନାଉଛ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ରେଳ ପ୍ରକଳ୍ପ ହେଲେ ଜମିର ଆବଶ୍ୟକତା ରହିଛି । ଆଉ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଜମି ଦେବେ । କିନ୍ତୁ ନିର୍ବାଚନୀ ସଭାରେ ଜମିକୁ ନେଇ ରେଳମନ୍ତ୍ରୀ ଯାହା କହିଲେ ସେ ବାବଦରେ ଓଡ଼ିଶା ସରକାରଙ୍କୁ କେବେ ଚିଠି ଲେଖିଥିଲା କେନ୍ଦ୍ର ? ପ୍ରକଳ୍ପର କାମ ରାଜନୀତି ସଭାରେ କରାଯାଏ ନାହିଁ । ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ରହିଛି । ସେ ପ୍ରକ୍ରିୟା କେନ୍ଦ୍ର ଅବଲମ୍ବନ କରିଛି କି? ଯଦି କରିଛି ତେବେ ରାଜ୍ୟବାସୀଙ୍କୁ ତାହାର ପ୍ରମାଣ ଦିଅନ୍ତୁ । କେଉଁଠି ଜମି ଦେବୁ ତାହାର ସର୍ଭେ କେନ୍ଦ୍ର କରିଛି କି? ଯଦି କରିନାହିଁ ତେବେ ଜମି କେମିତି ମାଗୁଛି? କେଉଁ ପଥ ଦେଇ ରେଳଲାଇନ ଯିବ ସେନେଇ କେନ୍ଦ୍ର ଯେତେବେଳେ ସ୍ପଷ୍ଟ କରିନାହିଁ ସେତେବେଳେ ଜମି ପ୍ରସଙ୍ଗ ଉଠାଇ କିଭଳି ମିଛ ରାଜନୀତି କରୁଛି? ଏନେଇ ନିର୍ଦ୍ଦିଷ୍ଟ ଭାବେ କେନ୍ଦ୍ର ପକ୍ଷରୁ କେବେ ଦାବି କରାଯାଇଛି କି? ନିର୍ବାଚନ ସମୟରେ ଏଭଳି ଭେଳିକି ସୃଷ୍ଟି କରିବା ସଂଘୀୟ ବ୍ୟବସ୍ଥାରେ ସ୍ପୃହଣୀୟ ନୁହେଁ ।

ପଦ୍ମପୁର ରେଳ ପ୍ରକଳ୍ପ ଲାଭଜନକ ନୁହେଁ ବୋଲି କେନ୍ଦ୍ର ରେଳ ମନ୍ତ୍ରାଳୟ ଚିଠି ଲେଖି ସ୍ପଷ୍ଟ କରିଛି । ଏପରିକି ଲାଭଜନକ ହୋଇନଥିବାରୁ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ୩ ବର୍ଷ ପୂର୍ବେ ଏନେଇ ଚିଠି ଲେଖିଥିଲା ରେଳବିଭାଗ । କିନ୍ତୁ ଏହି ପ୍ରକଳ୍ପକୁ ନେଇ ନିର୍ବାଚନୀ ସଭାରେ କିଏ ମିଛ କହୁଥିଲେ ତାହା ରେଳବିଭାଗ ଲେଖିଥିବା ଚିଠି ହିଁ ପ୍ରମାଣିତ କରୁଛି । ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଲାଭଜନକ ନୁହେଁ ବୋଲି କହି ଏହାକୁ ବନ୍ଦ କରିବାକୁ ରେଳବିଭାଗ ଚିଠି ଲେଖିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ମାଗଣା ଜମି ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ । ଜମି ପାଇଁ କେନ୍ଦ୍ରକୁ ଟଙ୍କାଟିଏ ବି ଦେବାକୁ ପଡିନଥାନ୍ତା । ଏପରିକି ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଦେବାକୁ ମଧ୍ୟ ରାଜ୍ୟ ପ୍ରସ୍ତୁତ ଥିଲା ।  ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଉ କଣ ବା ସହଯୋଗ କରିପାରିଥାନ୍ତା । କିନ୍ତୁ ଯିଏ ପ୍ରକଳ୍ପ ବନ୍ଦ କରିବାକୁ କହୁଥିଲେ ସେ ନିର୍ବାଚନୀ ସଭାରେ ଜମି ମାଗୁଛନ୍ତି । ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ।

ମୋଦୀ ସରକାରରେ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅନୁଦାନ ଦିଆଯାଉଛି । କିନ୍ତୁ ଗତ ୫ ବର୍ଷ ଭିତରେ ୧ ଲକ୍ଷ ହଜାର କୋଟି ଟଙ୍କାର ରାଜସ୍ୱ ଓଡ଼ିଶାରୁ ନେଇଛି କେନ୍ଦ୍ର । କିନ୍ତୁ ଦେଇଛି କେତେ । ହିସାବ ଦିଅନ୍ତୁ ଓଡ଼ିଶାରୁ ନେଇଛ କେତେ, ଦେଇଛ କେତେ? ରାଜସ୍ୱ ବାବଦକୁ ଓଡ଼ିଶାରୁ ହାତୀ ନେଇଛ ପିମ୍ପୁଡି ଦେଉଛ । ଏହା ହିଁ ହେଉଛି ଓଡ଼ିଶା ପ୍ରତି ରେଳବିଭାଗର  ଅବହେଳା । ବରଗଡ-ନୂଆପଡା ରେଳପ୍ରକଳ୍ପ ଓଡ଼ିଶାର ବହୁଦିନର ଦାବି । ସବୁପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ରାଜି । ତେଣୁ ଏହି ପ୍ରକଳ୍ପର କାମକୁ ତୁରନ୍ତ ଆରମ୍ଭ କରୁ କେନ୍ଦ୍ର ।

ଯେଉଁ ଏଜେନ୍ସି ଜରିଆରେ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି ସେହି ଏଜେନ୍ସିରେ ଉଭୟ ରାଜ୍ୟ ଓ କେନ୍ଦ୍ରର ସେୟାର ରହିଛି । ସେହି ଏଜେନ୍ସିର ଆର୍ଥିକ ଅବସ୍ଥା ଭଲ ନୁହେଁ । ତେଣୁ ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ବ୍ୟାଙ୍କ ଠାରୁ ଋଣ ଆବେଦନ କରିବ । କିନ୍ତୁ ସର୍ଭେ ରିପୋର୍ଟରେ ଏହି ପ୍ରକଳ୍ପ ଲାଭଜନକ ନୁହେଁ ବୋଲି କେନ୍ଦ୍ର ଆଗୁଆ ସ୍ପଷ୍ଟ କରିଛି । ତେଣୁ ଏଭଳି ସ୍ଥିତିରେ କେଉଁ ବ୍ୟାଙ୍କ ଏହି ସଂସ୍ଥାକୁ ଋଣ ଦେବ । ତେଣୁ ଦୋମୁହାଁ କଥା କହି ଲୋକଙ୍କୁ ଭ୍ରମିତ ନକରୁ କେନ୍ଦ୍ର । ମିଥ୍ୟାର ସୌଦାଗର ହେଲେ ମଝି ନଇରେ ନୌକା ବୁଡିବ ବୋଲି କହି କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe