ନବୀନ ନିବାସରେ ପହଞ୍ଚିଲେ ଦୁଇ ପ୍ରସନ୍ନ । ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

4,060

କନକ ବ୍ୟୁରୋ: ବିଜେଡିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇବେ କି ଦୁଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ପ୍ରସନ୍ନ ଆଚାର୍ଯ୍ୟ? ଚିଲିକା ଆସନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ରହିଛି । ରଘୁ ସାହୁ ଟିକେଟ୍ ପାଇଁ ଦାବି କରୁଛନ୍ତି । ଅନ୍ୟପଟେ ଆଜି ନବୀନ ନିବାସ ଆସିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ଯାହାକୁ ନେଇ ଚର୍ଚ୍ଚା ବଢିଛି । ଅନ୍ୟପଟେ ଦୁର୍ଘଟଣା ପରେ ସୁସ୍ଥ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସ ଆସିଥିଲେ । ସେ ରେଢାଖୋଲ ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।

  • ନବୀନ ନିବାସରେ ଦୁଇ ପ୍ରସନ୍ନ
  • ଟିକେଟ୍ ଚର୍ଚ୍ଚା ଭିତରେ ଦଳୀୟ ନେତାଙ୍କୁ ଭେଟିଲେ ଦୁଇ ନେତା

ନବୀନ ନିବାସରେ ବିଜୁ ଜନତା ଦଳର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରସନ୍ନ ପାଟ୍ଟଶାଣୀ । ଦଳୀୟ ଟିକେଟ ଚର୍ଚ୍ଚା ଭିତରେ ପ୍ରସନ୍ନ ପାଟ୍ଟଶାଣୀ ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଚର୍ଚ୍ଚା କରିଥିବା ସୂଚନା ମିଳିଛି । ଏପଟେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନବୀନ ନିବାସରେ ପହଞ୍ଚିଥିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

  • ଚିଲିକା ଟିକେଟ୍ ପାଇଁ ଚର୍ଚ୍ଚା ?
  • ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମିଳିବ କି ସୁଯୋଗ ?

ଚିଲିକା ବିଧାନସଭା ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ନବୀନ ନିବାସ ଯାଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବା, ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି । ଯଦିଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକା ଆସନ ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିଲା, ତଥାପି କାହାକୁ ଟିକେଟ୍ ମିଳିବ ତାହା ସ୍ପଷ୍ଟ ହୋଇନି । ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କ ବ୍ୟତୀତ ରଘୁ ସାହୁ ଏବଂ ଶ୍ରୀମୟୀ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଏପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି, ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନବୀନ ନିବାସରେ ପହଞ୍ଚିଥିଲେ । କୁହାଯାଉଛି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁର ଲୋକସଭା ଆସନର ୭ଟି ବିଧାନସଭା ମଧ୍ୟରୁ ବିଜେଡି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ଟି ବିଧାନସଭା ପାଇଁ ଏବେ ବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ଯେଉଁଥିରେ ରେଢ଼ାଖୋଲ ଆସନ ମଧ୍ୟ ରହିଛି । ତେବେ ଗତ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଥିଲେ ପ୍ରସନ୍ନ ଆଚାର୍ଯ୍ୟ ।