ନୂଆବର୍ଷରୁ ଗୋରେଖନାଥ ପୀଠରେ ମାନସିକ ପ୍ରସାଦ ବନ୍ଦ। ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ରୋଷଘରେ ତାଲା

ମନ୍ଦିର ପରିସରରେ ସେବାୟତଙ୍କ ଧାରଣା

338

କନକ ବ୍ୟୁରୋ: ନୂଆବର୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ବନ୍ଦ ରହିଛି ପ୍ରସାଦ ସେବା । ସେବାୟତ ଓ ମନ୍ଦିର ଟ୍ରଷ୍ଟ ମଧ୍ୟରେ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି । ପୂର୍ବରୁ ଗୋରେଖନାଥ ମନ୍ଦିରକୁ ଆସୁଥିବା ମାନସିକଧାରୀ ମାନେ ସବୁ ସାମଗ୍ରୀ ଆଣି ପ୍ରସାଦ ଭୋଗ କରୁଥିଲେ । କିନ୍ତୁ କିଛି ବର୍ଷ ହେବ ଭକ୍ତଙ୍କଠାରୁ ପଇସା ନେଇ ମାନସିକ ପ୍ରସାଦ ନିଜେ ତିଆରି କରିକି ସେବାୟତମାନେ ଦେଉଥିଲେ । ସେବାୟତମାନେ ଭକ୍ତଙ୍କ ପ୍ରସାଦ ପାଇଁ ନେଉଥିବା ପଇସାକୁ ମନ୍ଦିର ଉନ୍ନତିକରଣ ପାଇଁ ଦେବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା ।

କିନ୍ତୁ ସେବାୟତ ମାନେ ପଇସା ଦେବାକୁ ମନାକରିଦେଇଥିଲେ । ଆଉ ଯଦି ମନ୍ଦିରର ଉନ୍ନତିକରଣ ପାଇଁ କିଛି ଅର୍ଥ ଦେବେ ସେହି ହିସାବରେ ଭକ୍ତଙ୍କଠାରୁ ପ୍ରସାଦ ପାଇଁ ଅଧିକ ଅର୍ଥ ନେବେ ବୋଲି କହିଥିଲେ । ଏହାକୁ ବିରୋଧ କରି ଜାନୁଆରୀ ୧ ତାରିଖରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରୋଷଘରେ ତାଲା ପକାଯାଇଥିଲା । ଫଳରେ ଗୋରେଖନାଥଙ୍କ ସମସ୍ତ ନୀତିକାନ୍ତି ହେଉଥିଲେ ମଧ୍ୟ ମାନସିକ ଭୋଗ ବନ୍ଦ ରହିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ରୋଷଘରେ ତାଲା ପଡିଥିବାରୁ ଏହାକୁ ବିରୋଧ କରି ସେବାୟତମାନେ ମନ୍ଦିର ପରିସରରେ ଧାରଣା ଦେଇଛନ୍ତି ।

ତେବେ ସେବାୟତଙ୍କ ଦାବୀ ରହିଛି କି,

• ସେବକ ଓ ପୂଜକମାନଙ୍କ ଦ୍ୱାରା ଭକ୍ତମାନଙ୍କର ମାନସିକ ଅନ୍ନପ୍ରସାଦ ପ୍ରସ୍ତୁତି ପୂର୍ବଭଳି ଅନୁମତି ଦିଆଯିବା ଏବଂ ତୁରନ୍ତ ରୋଷଘର ତାଲା ଖୋଲିବା ।

• ମହାପ୍ରଭୁଙ୍କ ପୀଠ ଓ ପୀଠ ନିକଟସ୍ଥ ସମସ୍ତ ଅଂଚଳକୁ ପରିଷ୍କାର ପରିଚ୍ଛନ କରି ପୀଠର ପବିତ୍ରତା ପୂର୍ବବତ ବଜାୟ ରଖିବା ।

• ପୂଜା ନୀତିକାନ୍ତର ସମୟ ନିର୍ଘଂଟ ଓ ପାରମ୍ପରିକ ପର୍ବ ପର୍ବାଣୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ସାର୍ବଜନୀକ କରିବା ।

• ଟ୍ରଷ୍ଟବୋର୍ଡ ଅନ୍ନପ୍ରସାଦ ପ୍ରସ୍ତୁତି ନିମନ୍ତେ ବାର୍ଷିକ ଅର୍ଥ ପଇଠ କରିବା ପାଇଁ ପୂଜକ ଓ ସେବକମାନଙ୍କୁ ଦାବୀ ନକରିବା ଓ ଭକ୍ତମାନଙ୍କ ମାନସିକ ଅନ୍ନପ୍ରସାଦ ନିମନ୍ତେ ପୂର୍ବଭଳି ରସିଦରେ ମନ୍ଦିର ଉନ୍ନତି ପାଇଁ ଧାର୍ଯ୍ୟ ଅର୍ଥ ଗ୍ରହଣ କରିବା ।