ବିଜେପୁର ମୈଦାନକୁ ଓହ୍ଲାଇଲା କଂଗ୍ରେସ ! ବିଜେଡି ଓ ବିଜେପିକୁ ମାତ୍ ଦେଇ ନିଜ ଗଡ ରକ୍ଷା କରିବାକୁ ପ୍ରୟାସ

26

କନକ ବ୍ୟୁରୋ : ସୁବଳ ସାହୁଙ୍କ ପରେ ବିଜେପୁରରେ କିଏ ନେବ କଂଗ୍ରେସ ଭୋଟ୍ ? ବିଜେପୁରର କଂଗ୍ରେସ ଭୋଟର କାହାକୁ ସମର୍ଥନ କରିବେ ? ଏନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି । କାରଣ ସ୍ୱର୍ଗତ ସୁବଳ ସାହୁଙ୍କ ବିୟୋଗ ପରେ କଂଗ୍ରେସର ଗଡ କୁହାଯାଉଥିବା ବିଜେପୁରର କଂଗ୍ରେସ ସମର୍ଥକଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛନ୍ତି ଉଭୟ ବିଜେପି ଓ ବିଜେଡି । ତେବେ ବିଜେପୁରକୁ ନେଇ ଦୀର୍ଘଦିନର ନିରବତା ଭଙ୍ଗ କରିଛି କଂଗ୍ରେସ ।

RITA-SAHU-UPବିଜେଡି କହୁଛି କଂଗ୍ରେସ ଭୋଟ ତାଙ୍କ ସପକ୍ଷରେ ଯିବ କାରଣ ସୁବଳଙ୍କ ପରିବାର ବିଜେଡିରେ ଯୋଗଦେଇଛନ୍ତି ଏବଂ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେପୁରରୁ ପ୍ରାର୍ଥୀ କରି ଏହି ଚାଲ ଖେଳିଛି ବିଜେଡି । ସେପଟେ ବିଜେପି କହୁଛି କଂଗ୍ରେସ ଭୋଟର ମୋଦି ମୁଁହା ହେଲେଣି । ତେଣୁ କଂଗ୍ରେସ ଭୋଟ ଯିବ ବିଜେପି ଆଡକୁ । ଏପରିକି ରୀତା ସାହୁ ବିଜେଡିରେ ମିଶିବା ପରେ କଂଗ୍ରେସ ଦଳ ଭିତରେ ଫାଟ ସୃଷ୍ଟି ହୋଇଛି । ତେଣୁ ଏହାର ଫାଇଦା ନେବ ବିଜେପି । ତେବେ ଏ ସବୁ ଭିତରେ ଆଜି ଦୀର୍ଘ ଦିନର ନୀରବତା ପରେ ମୁଁହ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ । ନିଜ ଦମ୍ରେ କଂଗ୍ରେସ ବିଜେପୁରରେ ବିଜୟୀ ହେବ ବୋଲି ଦୃଢୋକ୍ତି ବାଢିଛନ୍ତି । ପୂର୍ବରୁ ବିଜେପୁରକୁ ନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଥିଲେ । ସେ କହିଥିଲେ ବିଜେଡି ଓ ବିଜେପି ଦଳରେ ପ୍ରାର୍ଥୀ ନଥିବାରୁ ଅନ୍ୟ ଦଳରୁ ପ୍ରାର୍ଥୀ ଖୋଜୁଛନ୍ତି । କିନ୍ତୁ କଂଗ୍ରେସ ଦଳରେ ଏବେ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ଅଛନ୍ତି ଏବଂ ବିଜେପୁରରେ ଦଳ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

subala sahooକିନ୍ତୁ ବିଜେପୁର ଇତିହାସ ଉପରେ ଯଦି ଆମେ ନଜର ପକାଇବା ତେବେ ଦୀର୍ଘ ୧୩ ବର୍ଷ ଧରି ଏହା କଂଗ୍ରେସର ଗଡ ରହି ଆସିଛି । ରାଜ୍ୟରେ ବିଜେଡି ଓ ଦେଶରେ ମୋଦିଙ୍କ ହାୱା ସତ୍ତେ୍ୱ ମଧ୍ୟ ଏଠାରେ ସାଧାରଣ ନିର୍ବାଚନରେ କଂଗ୍ରେସ ମାତ ଦେଇଥିଲା ବିଜେଡିକୁ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରକୁ କ୍ରମାଗତ ତୃତୀୟ ଥର ପାଇଁ ହାତେଇଥିଲା କଂଗ୍ରେସ । ଦିବଂଗତ ବିଧାୟକ ସୁବଳ ସାହୁ ୫୩ ହଜାର ୨ଶହ ୯୦ ଭୋଟ ପାଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍ର ୪ଶହ ୫୮ ଭୋଟରେ ପରାସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ପାଇଥିଲେ ମାତ୍ର ୩୦ ହଜାର ଭୋଟ ।

୨୦୦୪ରେ ଏହି ଆସନରୁ ଲଢିଥିଲେ ୮ ଜଣ ପ୍ରାର୍ଥୀ । ସେତେବେଳେ ରାଜ୍ୟରେ ଥିଲା ବିଜେଡି-ବିଜେପି ମେଂଟ । କଂଗ୍ରେସ ଟିକେଟରୁ ଲଢିଥିଲେ ସୁବଳ ସାହୁ । ଆଉ ବିଜେଡିର ପ୍ରାର୍ଥୀ ହୋଇଥିଲେ ଅଶୋକ କୁମାର ପାଣିଗ୍ରାହୀ । ସୁବଳ ସାହୁ ପାଇଥିଲେ ୬୬ ହଜାର ୪୦୭ ଭୋଟ ଆଉ ବିଜେଡି ପ୍ରାର୍ଥୀ ପାଇଥିଲେ ୪୪ ହଜାର ୪୮୯ ଭୋଟ । ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାରେ ପ୍ରବେଶ କରିଥିଲେ ସୁବଳ ସାହୁ ।

୨୦୦୯ରେ ଏହି ଆସନରୁ ଲଢିଥିଲେ ୭ ଜଣ ପ୍ରାର୍ଥୀ । ଏହି ସମୟ ବେଳକୁ ଭାଙ୍ଗିଯାଇଥିଲେ ବିଜେଡି ବିଜେପି ମେଂଟ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ସୁବଳ ସାହୁ, ବିଜେଡିରୁ ପ୍ରଭାତ ଆଦିତ୍ୟ ମିଶ୍ର ଓ ବିଜେପିରୁ ମହମ୍ମଦ ରଫିକ୍ । ହେଲେ ପୁଣି ଚାଲିଥିଲା ସୁବଳ ସାହୁଙ୍କ ଯାଦୁ । ସୁବଳ ପାଇଥିଲେ ୫୬ ହଜାର ୮୬୪ ଭୋଟ । ବିଜେଡି ପାଇଥିଲା ୪୭ ହଜାର ୮୯୩ ଓ ବିଜେପି ପାଖକୁ ଯାଇଥିଲା ୧୯ ହଜାର ୪୯୩ ଭୋଟ । ବିଜେଡି ଓ ବିଜେପିକୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ବିଧାନସଭା ଆସିଥିଲେ ସୁବଳ ସାହୁ ।ତେଣୁ ସୁବଳଙ୍କ ପରେ ଏବେ ବିଜେପୁର ରାଜନୀତିରେ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର । ଏବଂ ସମସ୍ତେ ଧରି ନେିଛନ୍ତି କଂଗ୍ରେସ ଦୁର୍ବଳ ହୋଇଯାଇଛି । ତେଣୁ ସେହି ଭୋଟ ଉପରେ ଅଙ୍କ କଷୁଛନ୍ତି ।

BATTLE-GROUND_00208-1ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ନିର୍ବାଚନ ପାଇଁ ପ୍ରଥମେ ସାମ୍ନାକୁ ଆସିଥିଲା ବିଜେଡି । ସୁବଳଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ଏପରିକି ଖାଲି ରୀତା ସାହୁ ନୁହେଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ କାଉନସିଲରଙ୍କୁ ମଧ୍ୟ ଦଳରେ ମିଶାଇ ବିଜେପୁର ଦଖଲ ଅଭିଯାନରେ ଜୋର ଲଗାଇଛି ବିଜେଡି । ତେବେ ବିଜେଡିକୁ କାଉଣ୍ଟର କରିବାକୁ ବିଜେପି ମଧ୍ୟ ସମାନ ରାସ୍ତା ଆପଣାଇଥିଲା । ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ହାତରେ ପଦ୍ମ ଫୁଲ ଦେଇ ବିଜେପି କ୍ୟାମ୍ପରେ ସାମିଲ କରିଥିଲା ଦଳ । ବିଜେଡି ଭୋଟକୁ ଭାଗ କରିବା ସହ କଂଗ୍ରେସ ଭୋଟକୁ ହାତେଇପାରିଲେ ଦଳର ବିଜୟ ସୁନିଶ୍ଚିତ ବୋଲି ଦଳର ନେତୃବୃନ୍ଦ ଆଶା ବାନ୍ଧି ବସିଛନ୍ତି । ତେବେ ଏସବୁ ଭିତରେ ଆଜି କଂଗ୍ରେସ ଦଳ ବିଜେପୁର ଲଢେଇରେ ସାମିଲ ହୋଇଛି । ପିସିସି ଅଧ୍ୟକ୍ଷ ପ୍ରସାଦ ଆଜି ବିଜେପୁରକୁ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ସହ ବିଜେପୁରବାସୀ ପୂର୍ବରୁ ରହିଥିଲେ ଏବେ ମଧ୍ୟ ଅଛନ୍ତି ତେଣୁ ବିଜେପୁରରେ ଦଳର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି ।

ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ରେସରେ ସବୁଠାରୁ ଆଗରେ ରହିଛି । ବିଜେପି ମଧ୍ୟ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ସୁନିଶ୍ଚିତ । କିନ୍ତୁ ପ୍ରାର୍ଥୀ ଖୋଜା ଲଢେଇରେ ସବୁଠାରୁ ପଛରେ ରହିଛି କଂଗ୍ରେସ । ଦଳ ପକ୍ଷରୁ କାହାକୁ ପ୍ରାଥୀ ର୍ କରାଯିବ ସେ ନେଇ କିଛି ଠିକ୍ ହୋଇନଥିବା ବେଳେ ନେତୃବୃନ୍ଦଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଇଛି । ବିଜେପୁର ପାଇଁ ପ୍ରାର୍ଥୀ ପ୍ରସାଦ ଠିକ୍ କରିବେନି ବରଂ ରାହୁଲ ଠିକ୍ କରିବେ ବୋଲି ତାରା କହିଛନ୍ତି ।

ସେପଟେ ବିଜେପୁର ନିର୍ବାଚନ ନେଇ ମାମଲା ହାଇକୋର୍ଟରେ ଗଡୁଥିବା ବେଳେ ସୋମବାର ସ୍ୱର୍ଗତ ସୁବଳ ସାହୁଙ୍କ ମୃତ୍ୟୁ ପ୍ରମାଣ ପତ୍ରକୋର୍ଟରେ ଦାଖଲ କରାଯାଇଛି ।ଏହି ମାମଲା ଫଇସଲା ନହେବାଯାଏଁ ଉପ ନିର୍ବାଚନ କରାଯାଇପାରିବ ନାହିଁ । ଆସନ୍ତା ଗୁରୁବାର ଦିନ ପରବର୍ତୀ ଶୁଣାଣି ପରେ ମାମଲାର ପରବର୍ତି ଦିଗ ସାମ୍ନକୁ ଆସିବ ।