କନକ ବ୍ୟୁରୋ: ଆଡପ ବିଜେ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାକୁ ଅଭାବନୀୟ କହି ଏହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିବା ସହ ପୀଡା ଦେଇଛି ବୋଲି କହିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି ଏଭଳି ଘଟଣା କେବେ ଘଟିଥିବା କଥା ଶୁଣି ନାହାନ୍ତି । ଏଥିପାଇଁ ଆମେ ସମସ୍ତେ ଦୋଷୀ କହିଲେ ଭୁଲ ହେବନି । ସେହି ପାପ ପାଇଁ ସାରା ଓଡିଶା ପଶ୍ଚାତାପ କରିବାର ଆବଶ୍ୟକତା ରହିଛି। ତେଣୁ ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅର୍ଥାତ ୧୪ ତାରିଖରେ ଆମେ ସମସ୍ତେ ଗୋଟିଏ ଓଳି ଉପବାସ କରିବା। ଏନେଇ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ବିଚାର କରିବାକୁ ମୁଁ ଅନୁରୋଧ କରୁଛି ବୋଲି ପ୍ରସାଦ କହିଛନ୍ତି ।
ତେବେ ରତ୍ନଭଣ୍ଡାର ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ପ୍ରସାଦ । ୧୮୦୫ ମସିହା ସହ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ତାଲିକା ସହ ସମସ୍ତ ରତ୍ନର ତଥ୍ୟ ଦିଆଯାଇଥିଲା। ଯଦି ସେତେବେଳେ ସେଭଳି ସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯାଇପାରିଲା ତେବେ ଏବେ କାହିଁକି ଖୋଲାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରସାଦ। ସରକାର ପୂର୍ବ କମିଟିକୁ ଭାଙ୍ଗି ଏବେ ୧୨ ଜଣିଆ କମିଟି ଗଠନ କରିଛନ୍ତି। ୬ ତାରିଖରେ କମିଟିର ବୈଠକ ବସିଥିଲା। ବୈଠକ ପରେ କୁହାଗଲା ରତ୍ନ ଭଣ୍ଡାର ଚାବି ଅଛି। ରେକର୍ଡ ରୁମରୁ ଚାବି ମିଳିଛି। ନିୟମ ଅନୁଯାୟୀ ଚାବି ଟ୍ରେଜେରିରେ ରହିବା କଥା କିନ୍ତୁ ରେକର୍ଡ ରୁମକୁ ଚାବି ଗଲା କେଉଁଭଳି ? ତେଣୁ ଯେଉଁ ଚାବି ମିଳିଛି ତାହା ଅସଲ ଚାବି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ସରକାର।
ଯଦି ଜଗମୋହନ ମରାମତି ହେଲା ତେବେ କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ମରାମତି ହେଉନାହିଁ। ରତ୍ନଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ସହମତି ଦେଉଥିବା ବେଳେ କାହିଁକି ସରକାର ଏ ଦିଗରେ ପଦକ୍ଷପ ନେଉ ନାହାନ୍ତି । ତୁରନ୍ତ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା କରନ୍ତୁ ସରକାର ବୋଲି ପ୍ରସାଦ ବର୍ଷିଛନ୍ତି ।
Follow Us