କନକ ବ୍ୟୁରୋ : ବିଜେପୁର ବାଜି ଜିତିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ରାଜନୈତିକ ବିଶାରଦ ମାନେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଏବେ କଂଗ୍ରେସ ଏହି ଲଢେଇରେ ଟିକିଏ ପଛୁଆ ପଡିଯାଇଛି ବୋଲି ଚର୍ଚ୍ଚା ହେଉଛି । କାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ୧୪ଟି ଦିନ ରହିଥିବା ବେଳେ କଂଗ୍ରେସ ଦଳ କିନ୍ତୁ ଏଯାଏଁ ଶେଯ ଛାଡିନି । କିନ୍ତୁ ପ୍ରତିଦ୍ୱନ୍ଦୀ ଦଳ ବିଜେପୁର ଲଢେଇ ପାଇଁ ବୀର ଯୋଦ୍ଧାଙ୍କୁ ଏକାଠି କରି ମୈଦାନକୁ ଓହ୍ଲାଇସାରିଲେଣି । ଗୋଟିଏ ପଟେ ଉଭୟ ବିଜେଡି ଓ ବିଜେପି ହାଇଭୋଲଟେଜ ପ୍ରଚାର ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରି କ୍ୟାମ୍ପେନ ଆରମ୍ଭ କରିଥିବା ବେଳେ କଂଗ୍ରେସର କିନ୍ତୁ କୌଣସି ହେଭିୱେଟଙ୍କୁ ଏଯାଏଁ ପ୍ରଚାର ମୈଦାନରେ ଦେଖିବାକୁ ମିଳିନାହିଁ । ବିଜେଡି ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଓ ବିଜେପି ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରଚାର ମଙ୍ଗ ଧରିଥିବା ବେଳେ କଂଗ୍ରେସର ପ୍ରଚାର ପ୍ରଚାରର ମଙ୍ଗ କେଉଁ ହେଭିୱେଟ ନେତା ଧରିବେ ତାହାକୁ ନେଇ ଏବେ ସସପେନ୍ସ ଜାରି ରହିଛି ।

Advertisment

bijepurନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ କଂଗ୍ରେସ ଏଯାଏଁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିନାହିଁ । ଏଭଳି ସ୍ଥିତିରେ ଏକଲା ଚଲୋ ନୀତି ଆପଣାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ନିଜେ ଧରିଛନ୍ତି ପ୍ରଚାରର ମଙ୍ଗ । ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରଣୟ । କିନ୍ତୁ ପ୍ରଶ୍ନ ଉଠୁଛି କଣ ପାଇଁ ଏପର୍ଯ୍ୟନ୍ତ କଂଗ୍ରେସ ନିଜର ଷ୍ଟାର ତାଲିକା ଘୋଷଣା କରୁନାହିଁ । ଏହା ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ସୂଚାଉନାହିଁ କି? କଂଗ୍ରେସର ରାଜ୍ୟସ୍ତରୀୟ ନେତାଙ୍କ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ବିଜେପୁର ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେପୁର ପାଇଁ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଦଳରେ ଦ୍ୱନ୍ଦ ଦେଖା ଯାଇଥିଲା । ତେବେ ରାହୁଲ ପ୍ରଣୟଙ୍କୁ ପ୍ରାର୍ଥୀ କରିବା ସହ ଏକାଠି ହୋଇ ଲଢିବାକୁ କଂଗ୍ରେସର ପୁରୁଖା ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଜେପୁର ନିର୍ବାଚନ ଏକାଠି ହୋଇ ଲଢିବା ପାଇଁ ରାହୁଲ ଫତୱା ଜାରି କରିବା ପରେ ପ୍ରଣୟଙ୍କ ନାମାଙ୍କନ ଦାଖଲ ବେଳେ କଂଗ୍ରେସର ହେଭିୱେଟ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଏପରିକି ହଜାର ହଜାର ସମର୍ଥକଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଥିଲା କଂଗ୍ରେସ । ଏପରିକି କଂଗ୍ରେସର ଗଡ ଥିବା ବିଜେପୁରକୁ ପୁଣିଥରେ ହାସଲ କରିବା ପାଇଁ ନେତା ମଧ୍ୟ ବଡ ବଡ ଭାଷଣ ଦେଇଥିଲେ । କିନ୍ତୁ ନାମାଙ୍କନ ଦାଖଲ ପରଠାରୁ ବିଜେପୁରରେ କଂଗ୍ରେସ କ୍ୟାମ୍ପରେ ଜଣେ ମଧ୍ୟ ହେଭିୱେଟ ନେତାଙ୍କୁ ଦେଖିବାକୁ ମିଳିନାହିଁ । ଏପରିକି କଂଗ୍ରେସର ହେଭିୱେଟ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି । ଯାହା ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପୁଣିଥରେ ପଦାରେ ପକାଇଛି ।

bijepurବିଜେପୁର ପାଇଁ କଂଗ୍ରେସରୁ ପ୍ରଣୟ ସାହୁ ପ୍ରାର୍ଥୀ ହେବା ପରେ ଲଢେଇ ତ୍ରିମୁଖୀ ମୋଡକୁ ଚାଲି ଆସିଥିଲା । କାରଣ ପ୍ରଣୟଙ୍କର ଏକ ନିଜସ୍ୱ ସଂଗଠନ ରହିଛି ଯାହା କଂଗ୍ରେସ ଦଳକୁ ଆହୁରି ଶକ୍ତିଶାଳୀ କରିଥିଲା । ଏହାଛଡା ବିଜେପୁରବାସୀ ପ୍ରଣୟଙ୍କୁ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଭଳି ସ୍ଥଳେ ପ୍ରଣୟଙ୍କ ବିଜୟ ପଥରେ ମୁଖ୍ୟ କଣ୍ଟା ସାଜିଛନ୍ତି ରାଜ୍ୟସ୍ତରୀୟ ନେତା । ପସିସି ଓ ବିଧାୟକ ଦଳ ଭିତରେ ଥିବା କେଁ ଏବେ ପ୍ରଣୟଙ୍କ ବିଜୟ ଆଶାକୁ ଧୂଳିସାତ କରିବାକୁ ବସିଛି । କାହାକୁ ପ୍ରଚାରର ଦାୟିତ୍ୱ ଦିଆଯିବ ସେନେଇ ପିସିସି ସଭାପତି ମଧ୍ୟ ନିଷ୍ପତି ନେଇପାରୁ ନାହାନ୍ତି । ଦଳର ବରିଷ୍ଠ ନେତାଙ୍କୁ ପ୍ରଣୟଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଏକାଠି କରି ନ ପାରିବା ପ୍ରସାଦଙ୍କ ବିଫଳତାକୁ ପଦାରେ ପକାଇଛି ।

ଏସବୁ ଭିତରେ ପ୍ରଣୟଙ୍କ ପାଇଁ ପ୍ରଚାର ମୈଦାନକୁ ହେଭିୱେଟ ନ ଓହ୍ଲାଇବା ପଛରେ ଆଉ ଏକ ବଡ କାରଣ ମଧ୍ୟ ରହିଛି । ଯଦି ବିଜେପୁରରେ ପ୍ରଣୟଙ୍କର ବିଜୟୀ ହେଉଛନ୍ତି ତେବେ ପିସିସି ସଭାପତି ପ୍ରସାଦଙ୍କ ପଲ୍ଲା ଭାରି ହୋଇଯିବ । ଯାହା ପ୍ରସାଦ ବିରୋଧୀ ଗୋଷ୍ଠୀ ଆଦୌ ଚାହୁଁନାହାନ୍ତି । କାରଣ ବିଜେପୁରରେ ପ୍ରଣୟ ବିଜୟୀ ହେଲେ ଦିଲ୍ଲୀ ଦରବାରକୁ ପ୍ରସାଦଙ୍କ ସପକ୍ଷରେ ଏକ ଭଲ ବାର୍ତ୍ତା ଯିବ । ତେଣୁ ପ୍ରସାଦଙ୍କୁ ହଟାଇବା ପାଇଁ ପ୍ରଚାର ମୈଦାନକୁ ହେଭିୱେଟ ନେତା ଓହ୍ଲାଉନଥିବା ଚର୍ଚ୍ଚା ହେଉଛି । ଯଦି ଏଭଳି ଗୋଷ୍ଠୀ କନ୍ଦଳ ଲାଗି ରୁହେ ତେବେ ବିଜେପୁର ଗଡ ଜିତିବା ପାଇଁ ପ୍ରଣୟ ଯେଉଁ ଆଶା ବାନ୍ଧିଛନ୍ତି ତାହା ମଉଳିଯିବାର ସମ୍ଭାବନା ଦେଖାଦେଇଛି ।