କନକ ବ୍ୟୁରୋ: ୨୦୨୪ରେ ସମ୍ବଲପୁରରେ ହେବ କି ବଡ ଲଢେଇ । ଏଠାରେ ବିଜେଡି-ବିଜେପିର ଦୁଇ ଟାଣୁଆ ନେତାଙ୍କ ଲଢେଇ ଦେଖିବାକୁ ମିଳିପାରେ । କେନ୍ଦ୍ରମନ୍ତ୍ରୀ ବନାମ ବିଜେଡି ସାଂଗଠନିକ ସଂପାଦକଙ୍କ ମଧ୍ୟ କଡା ଟକ୍କର ହୋଇପାରେ । ପୂର୍ବରୁ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ସମ୍ବଲପୁର ଲୋକସଭା ଆସନରୁ ଲଢି଼ ପାରନ୍ତି ବବି ।
ଗତକାଲି ସଂଧ୍ୟାରେ ଏକ ଘରୋଇ ହୋଟେଲରେ ଅନୌପଚାରିକ ଭାବେ କଥାବାର୍ତ୍ତା ବେଳେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ବବି ଦାସ କହିଛନ୍ତି, ବିଜେଡିରେ ମୁଖ୍ୟମନ୍ତ୍ରୀ ତାଙ୍କ ବସ୍ ଏବଂ ସେ ଦଳ ଏକ ନମ୍ବର ଯୋଦ୍ଧା । ନବୀନ ପଟ୍ଟନାୟକ ଯେଉଁଠି ଲଢିବା ପାଇଁ କହିବେ, ବବି ଦାସ ସେଠାରେ ଲଢିବେ । ସମ୍ବଲପୁର ଲୋକସଭା ଆସନ ହେଲେ, ସେଥିରେ କୌଣସି ଅସୁବିଧା ନାହିଁ । ଏବଂ ଆଗରୁ ସମ୍ବଲପୁର ସହ ତାଙ୍କର ସଂପର୍କ ରହିଛି । ସମ୍ବଲପୁରରେ ବାପା ଚାକିରି କରୁଥିଲେ । ତେଣୁ ସମ୍ବଲପୁରରେ ଲଢିବାରେ କୌଣସି ଅସୁବିଧା ନାହିଁ । ସେପଟେ ବିଜେଡି ବିଧାୟକ ରୋହିତ ପୂଜାରୀ କହିଛନ୍ତି, ବବି ଦାସ ସମ୍ବଲପୁରରେ ଲଢିଲେ, ତାଙ୍କୁ ସ୍ୱାଗତ କରାଯିବ ।