ପ୍ରେରଣାର ନାଁ ପ୍ରଣତୀ: ସ୍ୱାମୀ ଚାଲିଯିବା ପରେ ଦହିବରା ବିକୁଛନ୍ତି, ପେଟ ପୋଷୁଛନ୍ତି… ପିଲାଙ୍କ ମୁହଁରେ ଆହାର ଦେବାକୁ କରୁଛନ୍ତି ସଙ୍ଘର୍ଷ ।

146

କନକ ବ୍ୟୁରୋ: ଦିନେ ଏଇଠି ସ୍ୱାମୀ ବିକୁଥିଲେ ଦହିବରା । ରାସ୍ତାକଡେ ରୋଜଗାର କରି ପୋଷୁଥିଲେ ପେଟ । ରାଜଧାନୀରେ ରାମ ଭାଇ ଦହିବରାର ବି ବେଶ ନାଁ ଥିଲା । ହେଲେ ୩ ବର୍ଷ ତଳେ କ୍ୟାନସରରେ ପ୍ରାଣ ହରାଇବା ପରେ ଏବେ ସେହି ଜାଗାରେ ଦୋକାନ ଖୋଲିଛନ୍ତି ପ୍ରଣତୀ । ରେଡକ୍ରସ ଭବନ ନିକଟରେ ଦହିବରା ଆଳୁଦମ ବିକୁଛନ୍ତି । ପରିବାର ଚଳାଇବା ସହ ୩ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଦେଇ ସେମାନଙ୍କ ଭବିଷ୍ୟତ ଗଢିବାକୁ ଭୁବନେଶ୍ୱରରେ ସ୍ୱାଭିମାନର ସହ ସଙ୍ଘର୍ଷ କରୁଛନ୍ତି ପ୍ରଣତୀ ସାହୁ ।

କର୍କଟ ରୋଗରେ ସ୍ୱାମୀ ରାମଚନ୍ଦ୍ର ସାହୁ ଆଖିବୁଜିବା ପରେ ସ୍ତ୍ରୀ ପ୍ରଣତୀ ତ ଅସହାୟ ହୋଇପଡିଥିଲେ ତାସହ ପିଲାଙ୍କ ମୁଣ୍ଡ ଉପରୁ ହଟିଗଲା ବାପାଙ୍କ ହାତ । ଯେତେବେଳେ ତିନି ତିନିଟି ପିଲା ବାପାଛେଉଣ୍ଡ ହୋଇଗଲେ ସେତେବେଳେ ସେମାନଙ୍କୁ ସାହସ ଦେବାକୁ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ରାସ୍ତାକୁ ଓହ୍ଲାଇଲେ ପ୍ରଣତୀ । ଆଉ ପିଲାଙ୍କୁ ମାଆର ସ୍ନେହ ଦେବା ସହ ବାପାଙ୍କ ଭଳି ପରିଶ୍ରମ କରି ଦାୟିତ୍ୱ ନିଭାଇଲେ । ବିପଦ ବେଳେ, ସଙ୍କଟ ସମୟରେ ସବୁ ମାଆମାନେ ହିଁ ପିଲାଙ୍କ ପାଇଁ ସାଜିପାରନ୍ତି ଜଣେ ଜଣେ ମହାଯୋଦ୍ଧା । ତାହା ପ୍ରମାଣିତ କରି ଦେଖାଇଛନ୍ତି ପ୍ରଣତୀ ।

୨୦୦୫ରେ ବିବାହ କରିଥିଲେ ପ୍ରଣତୀ କିନ୍ତୁ ୨୦୧୯ରେ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ଜୀବନ ଯୁଦ୍ଧରେ ହାରି ନଯାଇ ଏଇ ଦହିବରାକୁ ସାହାର କରି ସେ ଆଗକୁ ଆଗକୁ ବଢୁଛନ୍ତି । ସ୍ୱାମୀ ଗଲାପରେ ସେ ହାରି ନଯାଇ, ଭାଙ୍ଗିନପଡି, ଭିକ ନମାଗି, କାହା ପାଖେ ହାତ ନପାତି, ନିଜ ଭିତରେ ସାହସ ଜୁଟାଇ ଦହିବରା ବ୍ୟବସାୟକୁ ଆପଣାଇ ନେଇଛନ୍ତି ପ୍ରଣତୀ । ପ୍ରତିଦିନ ସକାଳ ହେବା କ୍ଷଣି ଡୁମଡୁମା ଅଞ୍ଚଳରୁ ଆସି ରେଡକ୍ରସ ଭବନ ନିକଟରେ ଠେଲା ଲଗାଉଛନ୍ତି ପ୍ରଣତୀ । ଆଉ ତାଙ୍କ ଦହିବରା ଖାଇବାକୁ ଲୋକଙ୍କ ଲାଗୁଛି ପ୍ରବଳ ଭିଡ ।

ପ୍ରଥମେ ପ୍ରଥମେ ଅଟୋ ଭଡା କରି ଦହିବରା ବ୍ୟବସାୟ କରୁଥିଲେ ପ୍ରଣତୀ । ହେଲେ ଅଧିକାଂଶ ସମୟରେ ସମସ୍ୟା ସୃଷ୍ଟି ହେବାରୁ ସେ ନିଜେ ଗୋଟେ ଇ-ଅଟୋ କିଣିଲେ । ଆଉ ଦିନେ ସାଇକେଲ ଚଲାଇନଥିବା ପ୍ରଣତୀ ଅଟୋ ଚଲାଇ ସେଥିରେ ଘରୁ ଦହିବରା ଆଳୁଦମ ଆଣି ଏଠାରେ ବିକ୍ରି କରୁଛନ୍ତି ।

ପ୍ରତିଦିନ ରାତି ୮ରୁ ପରଦିନ ସକାଳେ ଦହିବରା ବିକ୍ରି ପାଇଁ ପ୍ରସ୍ତୁତି ଚଲାନ୍ତି ପ୍ରଣତୀ । ତାପରେ ପୁଣି ପିଲାଙ୍କ କଥା । ଏତେସବୁ କଷ୍ଟ ଦୁଃଖ ପରେ ବି ସେ ଥକି ପଡି ନାହାନ୍ତି କି ନଇଁଯାଇ ନାହାନ୍ତି । ନିଜର ଖରାପ ସମୟକୁ ସଦଉପଯୋଗ କରି ସ୍ୱାବଲମ୍ବୀ ପାଲଟିଥିବା ପ୍ରଣତୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚିତ ।