ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ପ୍ରସଙ୍ଗ: ଟୁଇଟରରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଧର୍ମେନ୍ଦ୍ରଙ୍କ ଟୁଇଟ୍ ପରେ ଜବାବ ରଖିଲେ ପ୍ରଣବ ।

809

କନକ ବ୍ୟୁରୋ: ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପ୍ରସଙ୍ଗରେ ଏବେ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଥମେ ଟୁଇଟ୍ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସେ ଟୁଇଟ୍ କରି ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ। କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି?

ଖାଲି ସେତିକି ନୁହେଁ, ପ୍ରଣବ ଟୁଇଟ୍ କରି ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉର୍ଦ୍ଧ୍ଵରେ?  ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଟୁଇଟ୍ କରିଥିଲେ । ସେ କହିଥିଲେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ । ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଥିଲେ । ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ପାଣିଗ୍ରାହୀଙ୍କ ଗିରଫଦାରୀ ।