ସିରିଜ ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ । କହିଲେ, ପ୍ରମାଣ ଦିଅ ଇସ୍ତଫା ନୁହେଁ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ମୁଖ୍ୟମନ୍ତ୍ରୀ ।

1,355

କନକ ବ୍ୟୁରୋ: ମମିତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିବା ସହ ଉଭୟ ରାଜ୍ୟ ସରକାର ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନୈତିକତାର ପ୍ରଶ୍ନବାଣ ମାରି ନବୀନଙ୍କ ଚିନ୍ତା ବଢାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନବୀନଙ୍କୁ ସେବେ ଓ ଏବେର ଆଇନା ଦେଖାଇ ଧର୍ମେନ୍ଦ୍ର ପ୍ରଶ୍ନର ପାହାଡ ଛିଡା କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରିଛନ୍ତି । ତେବେ ଏହାର କଡା ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସିରିଜ ଟ୍ୱିଟ୍ କରିବା ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ପ୍ରଣବ । ନୈତିକତାର କଥା ଉଠାଇଥିବା ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ପ୍ରଣବ କହିଛନ୍ତି, ଟ୍ରେନ ଦୁର୍ଘଟଣାରେ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି । ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ? ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା । ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା ବୋଲି କହି କଡା ଜବାବ ଦେଇଛନ୍ତି ପ୍ରଣବ ।

ଏହାସହ ପ୍ରଣବ କହିଛନ୍ତି, ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି । ଯଦି ପ୍ରମାଣ ଅଛି ତେବେ ପୋଲିସକୁ କିମ୍ବା ଉଚ୍ଚ ନ୍ୟାୟାଳୟରେ ଆପଣଙ୍କ ଦଳ ପକ୍ଷରୁ ଠୋସ ପ୍ରମାଣ ଦେଲେ କେବଳ ଇସ୍ତଫା ନୁହେଁ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ମୁଖ୍ୟମନ୍ତ୍ରୀ । ସାଙ୍ଗଠନିକ ସମ୍ପାଦକ ଭାବେ ଦଳର ସୁରକ୍ଷାକବଚ ସାଜି ଧର୍ମେନ୍ଦ୍ର ମାରିଥିବା ବାଣକୁ ଏମିତି ପ୍ରତିହତ କରିଛନ୍ତି ପ୍ରଣବ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟର ମମିତା ପ୍ରସଙ୍ଗରେ ସରକାର ଓ ନବୀନଙ୍କ ଆଡକୁ ଆଙ୍ଗୁଳି ଉଠାଇଥିଲେ ଧର୍ମେନ୍ଦ୍ର । ଲାଲ ବାହାଦୂର ଶାସ୍ତ୍ରୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ଉଦାହରଣ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ପ୍ରଶ୍ନ କରିଛନ୍ତି । ୨୨ ବର୍ଷର ଶାସନ କାଳରେ ନୀତି ନୈତିକତାର ଦ୍ୱାହି ଦେଇ ଅନେକ ମନ୍ତ୍ରୀଙ୍କ ପଦବୀ ଯାଇଛି । ହେଲେ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ପୀଡିତାଙ୍କ ବାପା,ମାଆଙ୍କୁ ଲଗାଇ ହାଇକୋର୍ଟରେ ପ୍ରାୟୋଜିତ କେସ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ବି କରିଛନ୍ତି । ଏହାସହ ମମିତା ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଥିବା ନେଇ ଶାସନ ଦଳ ଯେଉଁ ଅଭିଯୋଗ ଆଣୁଥିଲେ ତାହାକୁ ଅତି ଚତୁରତାର ସହିତ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୦୦୦ ମସିହାରେ କିଭଳି ଅଟଳ ବିହାରୀ ବାଜପେୟୀଙ୍କୁ ଆଠଗଡ ନେଇ ଯେଉଁ ପ୍ରସଙ୍ଗକୁ ନେଇ ପ୍ରତିବାଦ କରାଯାଇଥିଲା ସେହି କଥାକୁ ମନେ ପକାଇ ଦେଇଛନ୍ତି ଧର୍ମେନ୍ଦ୍ର । ସେତେବେଳେ ବି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ସ୍ୱର ଉଠାଇଥିଲେ, ତେଣୁ ଆଜି କିପରି ଚୁପ୍ ରହିବେ ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ।

ମମିତା ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ୟୁନିଟ ତମ୍ବି ତୋଫାନ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ଏଭଳି ଶାଣିତ ଆକ୍ରମଣ କେବେ ଶୁଣିିବାକୁ ମିଳିନଥିଲା । ଅକ୍ଟୋବର ୨୦ରେ ଗୋଟିଏ ଟ୍ୱିଟ୍ କରି ଚୁପ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଆଜିର ଆଭିମୁଖ୍ୟ ପରେ ଲାଗୁଛି ରାଜ୍ୟ ବିଜେପି ମମିତା ପ୍ରସଙ୍ଗକୁ ଆହୁରି ଲମ୍ବା ଟାଣିବ ।