ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ହେବ ଅନ୍ତିମ ସଂସ୍କାର: ୧୦ ରାଜାଜୀ ମାର୍ଗରେ ଶେଷ ଦର୍ଶନ ପାଇଁ ସାଧାରଣ ଜନତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମିଳିବ ସୁଯୋଗ

ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

168

କନକ ବ୍ୟୁରୋ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହା ପୂର୍ବରୁ ମାନ୍ୟଗଣ ବ୍ୟକ୍ତି ଓ ସାଧାରଣ ଜନତା ପ୍ରଣବଙ୍କ ଶେଷ ଦର୍ଶନ କରିବାର ସୁଯୋଗ ପଇବେ । ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସୋମବାର ପ୍ରଣବଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଥିଲା । ରାଜନୀତିକୁ ଆସିବା ପୂର୍ବରୁ ଜଣେ ଶିକ୍ଷକ ଏବଂ ସାମ୍ବାଦିକ ଭାବେ କାମ କରିଥିଲେ ପ୍ରଣବ ମୁଖାର୍ଜି । ୧୯୭୨ ମସିହାରେ ଇନ୍ଦିରାଙ୍କ କ୍ୟାବିନେଟ୍ରେ ଜଣେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ପ୍ରଣବ ।

ଅର୍ଥ, ବାଣିଜ୍ୟ, ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରିଛନ୍ତି ପ୍ରଣବ । ଜାନୁଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଜଣେ ଦକ୍ଷ ରାଜନେତା,କଂଗ୍ରେସର କ୍ରାଏସିସ ମ୍ୟାନେଜର ଭାବେ ପରିଚିତ ପ୍ରଣବ ମୁଖାର୍ଜୀ ୟୁପିଏ ସରକାର ଅମଳରେ ୨୦୧୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଭାରତର ବହୁ ବରିଷ୍ଠ ନେତା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରେ ପ୍ରଣବଙ୍କୁ ମନେପକାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଉଛି । ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ପ୍ରଣବଙ୍କୁ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ସାରାଦେଶବାସୀ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଭଳି ଜଣେ ସରଳ, ସଚ୍ଚୋଟ ଓ ଜ୍ଞାନୀ ବ୍ୟକ୍ତିଙ୍କୁ ସବୁଦିନ ମନେ ରଖିବେ ବୋଲି ସେ କହିଛନ୍ତି ।