କୋଲିସନ ଇୟର୍ସରେ ମନକଥା ଲେଖିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ! ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଥିଲେବି ସୁଯୋଗ ହୋଇଥିଲା ହାତଛଡା

31

କନକ ବ୍ୟୁରୋ : ଦଳମତ ନିର୍ବିଶେଷରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମସ୍ତେ ଭଲ ପାଆନ୍ତି । ନିଜର ସାଧାରଣ ଜୀବନ ଶୈଳୀ ଚର୍ଚାରେ ଥାଆନ୍ତି ପ୍ରଣବ ଦା । ଏବେ କିନ୍ତୁ ଭିନ୍ନ ଏକ କାରଣରୁ ଚର୍ଚାରେ ସେ । ପ୍ରଧାନମନ୍ତ୍ରୀ ପଦକୁ ନେଇ ପ୍ରଣବ ମୁଖାର୍ଜୀଙ୍କ କ୍ଷୋଭ । ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଆଶା ଥିଲେ ବି ଦୁଇ ଦୁଇ ଥର ଏହି ସୁଯୋଗ ତାଙ୍କର ହାତଛଡା ହୋଇଥିଲା । ଏ ନେଇ ନିଜ ପୁସ୍ତକ କୋଲିସନ୍ ଇୟର୍ସରେ ସ୍ୱୀକାର କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ।

୨୦୦୪ରେ ପ୍ରଥମେ ୟୁପିଏ କ୍ଷମତାକୁ ଆସିବା ପରେ ପ୍ରଣବଙ୍କୁ ଏପରି ଲାଗୁଥିଲା ଯେ ତାଙ୍କୁ ହିଁ ପ୍ରଧାନମନ୍ତ୍ରୀ କରାଯିବ । କିନ୍ତୁ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା ପରେ ପ୍ରଣବ ତାଙ୍କ ଅଧିନରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାମ କରିବାକୁ ଅନିଛୁକ ଥିବା ଲେଖିଛନ୍ତି । କାରଣ ଇନ୍ଦିରା ଗାନ୍ଧିଙ୍କ କ୍ୟାବିନେଟରେ ସେ ଅର୍ଥମନ୍ତ୍ରୀ ଥିବା ବେଳେ ମନମୋହନ ତାଙ୍କର ଜୁନିୟର ଥିଲେ । ତେବେ ସୋନିଆଙ୍କ ପରାମର୍ଶ କ୍ରମେ ସେ ମନ୍ତ୍ରୀମଣ୍ଡଳରେ ରହିଥିଲେ । ପୁଣି ଥରେ ୨୦୧୨ରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପୂର୍ବରୁ ମନମୋହନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଓ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଆଶା କରୁଥିଲେ ପ୍ରଣବ ମୁଖର୍ଜୀ । କିନ୍ତୁ ଶେଷରେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥି କରାଯାଇଥିଲା । ଏପରିକି ତାଙ୍କର ହିନ୍ଦି ଭାଷାରେ ଦୁର୍ବଳତା ଯୋଗୁ ପ୍ରଧାନମନ୍ତ୍ରୀ କରାଯାଇ ନଥିଲା ବୋଲି ଅନୁମାନ କରି ନିଜ ପୁସ୍ତକରେ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖର୍ଜୀ ।

୨୫ ଜୁୁଲାଇ ୨୦୧୭ରେ ପ୍ରଣବ ମୁଖାର୍ଜୀଙ୍କ କାର୍ୟ୍ୟକାଳ ଶେଷ ହୋଇ ଥିଲା । ପ୍ରଣବ ମୁଖାର୍ଜୀ ନିଜ କାର୍ୟ୍ୟକାଳରେ ମୁମ୍ବାଇ ୨୬/୧୧ ଆକ୍ରମଣ ଅଜମଲ କସାବ ଓ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ଓ ୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ୟାକୁବ ମେନନଙ୍କ ଫାଶୀ ଦଣ୍ଡ ଉପରେ ଖୁବ ଶୀଘ୍ର ମୋହର ଲଗାଇଥିଲେ। ଏହାର ଅର୍ଥ ହେଲା ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି କାର୍ୟ୍ୟକାଳ ସମୟରେ ତିନି ବଡ଼ ଆତଙ୍କବାଦୀଙ୍କୁ ଫାଶୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କସବକୁ ୨୦୧୨, ଅଫଜଲକୁ ୨୦୧୩ ଓ ୟାକୁବ ମେନନକୁ ୨୦୧୫ରେ ଫାଶୀ ହୋଇଥିଲା । କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ପ୍ରଣବ ମୁଖାର୍ଜୀ ଦୁଷ୍କର୍ମର ଦୁଇଟି ମାମଲାରେ ଦୋଷୀଙ୍କ କ୍ଷମା ଦେବାପାଇଁ ମନା କରିଦେଇଥିଲେ ।