ବବିଙ୍କ ବଙ୍ଗଳା ପରେ ଜିତୁଙ୍କ ଢାବା । ଧର୍ମଶାଳାରେ ଥିବା ପ୍ରଣବ ବଳବନ୍ତରାୟଙ୍କ ବଲେ ବଲେ ଏସି ଢାବା ଓ ଲଜକୁ ସିଲ୍ ପାଇଁ ନିର୍ଦ୍ଦେଶ

3,884

କନକ ବ୍ୟୁରୋ: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସଙ୍କ ପରେ, ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲେବଲେ ଢାବା ଓ ଲଜକୁ ସିଲ୍ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ବିଧାୟକଙ୍କ ନିର୍ଦ୍ଦେଶ ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଛି ବ୍ଲକ ପ୍ରଶାସନ । ତେବେ ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା । ଆଉ ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା ।

  • ପ୍ରଣବ ପ୍ରକାଶଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି!
  • ସହଯୋଗୀଙ୍କ ଅକ୍ତିଆରରେ ଥିବା ଢାବାରେ ଲଟକା

ଚଣ୍ଡିଖୋଲ ନିକଟ ଧର୍ମଶାଳା ଭବନ ପରିସରରେ ଥିବା ଢାବାରେ ଲଟକା ଲଗାଯାଇଛି । କୁହାଯାଉଛି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହଯୋଗୀଙ୍କ କବଜାରେ ରହିଛି ଏହି ଢାବା । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିର୍ମାଣ ହୋଇଥିବା ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବା ଓ ଲଜ୍ ପାଇଁ ଲିଜ୍ ଦିଆଯାଇଥିବା ସ୍ୱୀକାର କରିଛନ୍ତି ବିଡିଓ ।

ତେବେ ପ୍ରଣବଙ୍କ ବାପା ତଥା ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ଅମଳରେ ନିର୍ମାଣ ହୋଇଥିଲା ଧର୍ମଶାଳା ଭବନ । ହେଲେ ରାଜସ୍ୱ ଆଦାୟ ପାଇଁ ଏହା ପରିସରରେ ଫୁଡକୋର୍ଟ ନିର୍ମାଣ ପାଇଁ ଲିଜ୍ ଦିଆଯାଇଥିବା ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଡିଓ । ତେବେ ବ୍ଲକ ଉନ୍ନୟନ କାମର ସମୀକ୍ଷା ବେଳେ ବିନା କାଗଜପତ୍ରରେ ଏହି ଢାବାକୁ ଲିଜ ଦିଆଯାଇଥିବା ଜାଣିବାକୁ ପାଇଥିଲେ ବର୍ତ୍ତମାନର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ତେଣୁ ଏହାକୁ ତୁରନ୍ତ ସିଲ କରିବାକୁ ସେ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସବୁଠାରୁ ବଡକଥା ହେଉଛି ଧର୍ମଶାଳା ଅଞ୍ଚଳବାସୀଙ୍କ ପାଇଁ ସଭା ସମିତି ଓ ବିବାହ ବ୍ରତ ଆଦି କରିବାକୁ ନିର୍ମାଣ ହୋଇଥିଲା ଏହି ଧର୍ମଶାଳା ଭବନ । ହେଲେ ସାଧାରଣ ଲୋକେ ଏହାର କୌଣସି ସୁବିଧା ପାଇପାରୁନଥିଲେ । ବରଂ ଗୋଟିଏ ଗୋଟିଏ ବିବାହ, ବ୍ରତଘର କରିବାକୁ ୪୦ରୁ ୫୦ ହଜାର ଟଙ୍କା ଆଦାୟ କରୁଥିବା କହିଛନ୍ତି ବଲେ ବଲେ ହୋଟେଲର ମ୍ୟାନେଜର ।

କେବଳ ଧର୍ମଶାଳା ଭବନ ନୁହେଁ, ଅଭିଯୋଗ ହୋଇଛି ଧର୍ମଶାଳା ସ୍ପୋର୍ଟ୍ସ କାଉନସିଲ ଜରିଆରେ କଳ୍ପତରୁ ଦାସ ଷ୍ଟାଡିୟମ ଇଣ୍ଡୋର ହଲର ଦାୟିତ୍ୱ ମଧ୍ୟ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କୁ ଟେକି ଦେଇଥିଲେ ବ୍ଲକ କର୍ତ୍ତୃପକ୍ଷ । ଆଉ ମନଇଛା ଭଡା ଆଦାୟ କରୁଥିଲେ ପୂର୍ବତନ ବିଧାୟକଙ୍କ ସମର୍ଥକ । ଷ୍ଟାଡିୟମ ପରିସରରେ ଥିବା ଦେଉଳି ଭବନକୁ ଲିଜ ନେବାପାଇଁ ଆଇନତଃ ଭାଲୁଖାଇ ଗାଁର ରାଜେଶ ପାଲ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ବ୍ଲକ କର୍ତ୍ତୃପକ୍ଷ ତାଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗ ହୋଇଛି । ଏପରିକି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ଓ ରାୟ ରାଜେଶ ପାଲଙ୍କ ସପକ୍ଷରେ ଯାଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଢାବା ଓ ଲଜ ନିର୍ମାଣ ପାଇଁ ବିଧାୟକ ଓ ସାଂସଦ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରଶ୍ନ ଉଠୁଛି…

  • ସରକାରୀ ଟଙ୍କାରେ ତିଆରି କୋଠାକୁ ବ୍ୟବସାୟୀକ ବ୍ୟବହାର ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା?
  • ବିବାହ, ବ୍ରତ ପାଇଁ ୪୦ରୁ ୫୦ ହଜାର ଟଙ୍କା ଆଦାୟ କରିବାକୁ କିଏ ଧାର୍ଯ୍ୟ କରିଥିଲା?
  • ଏସବୁ ଟଙ୍କା କିଏ ନେଉଥିଲା ଓ ଏହା ପଛରେ ବଡଧରଣର କିକବ୍ୟାକ୍ ହୋଇ ନାହିଁ ତ?