ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ପ୍ରଣବଙ୍କୁ କାହିଁକି ବିଦା କଲେ ମୁଖ୍ୟମନ୍ତ୍ରୀ । ୩ଟି କାରଣକୁ ନେଇ ଜୋରଦାର ଚର୍ଚ୍ଚା ।

1,335

କନକ ବ୍ୟୁରୋ : ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ହଟିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ପୁଣି ଥରେ ରୋହିତ ପୂଜାରୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଂଚଦଶ ବିଧାନସଭା ଅର୍ଥାତ୍ ୨୦୧୪ରୁ ୨୦୧୯ ଯାଏଁ, ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରେ ରହିଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ତେବେ ଅଚାନକ କାହିଁକି ପ୍ରଣବ ବଳବନ୍ତରାୟଙ୍କୁ ଉପ-ମୁଖ୍ୟସଚେତକ ପଦ କାଢ଼ି ନିଆଗଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ?

ହୁଏତ, ପ୍ରଥମ ଥର ପାଇଁ ସରକାରୀ ଦଳର ଉପ-ମୁଖ୍ୟସଚେତକଙ୍କୁ କିଛି ଏଭଳି ଢ଼ଙ୍ଗରେ ଦାୟିତ୍ୱରୁ ବିଦା କରାଯାଇଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ତଥାକଥିତ ବିଜେଡିର ୟଙ୍ଗ ବିଗେଡ୍ ସହ ଘନିଷ୍ଠ ଥିବା ତଥା ବିଜେଡି ସଂଗଠନ ସହ ଅତିନିକଟରୁ ଜଡ଼ିତ ଥିବା ଜଣେ ତୁଙ୍ଗ ନେତାଙ୍କ ଉପରେ ଦଳୀୟ ସୁପ୍ରିମୋ କାହିଁକି ଅଚାନକ୍ ଅନାସ୍ଥା ପ୍ରକଟ କଲେ, ତାକୁ ନେଇ ବି ସନ୍ଦେହ ଘନିଭୂତ ହେବାରେ ଲାଗିଛି ।

ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ପ୍ରବଣଙ୍କୁ ହଟାଇ ରୋହିତଙ୍କୁ ବସାଇବା ପଛରେ କିଛି କାରଣ ଥିବା ଚର୍ଚ୍ଚା ହେଉଛି । ଏହି ଦିଗରେ ୩ଟି ପ୍ରମୁଖ କାରଣକୁ ନେଇ ଏବେ ଓଡ଼ିଶା ରାଜନୈତିକ ମହଲରେ ସବୁଠୁ ଅଧିକ ଚର୍ଚ୍ଚା ।

ଘଙ୍ଗାପାଟଣା ଜମି ଦୁର୍ନୀତି : ୨୦୧୪ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା ଯେତେବେଳେ ଖୁବ୍ ଜୋରରେ ଆଲୋଚନାର ପରିସରକୁ ଆସିଥିଲା, ସେତେବେଳେ ବଡ଼ ବଡ଼ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା । ବେଆଇନ ଭାବେ ସରକାରୀ ଜମିକୁ ଲିଜରେ ମାଡ଼ି ବସିଥିବା ନେଇ ଅଭିଯୋଗ ହୋଇଥିଲା । ଯେଉଁଥିରେ ପ୍ରଣବ ବଳବନ୍ତରାୟଙ୍କ ନାଁ ବି ସାମ୍ନାକୁ ଆସିଥିଲା । ଆଉ ଏବେ ଯେତେବେଳେ ଏହି ଦୁର୍ନୀତି ମାମଲାରେ ଲୋକାୟୁକ୍ତ କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ଆସନ୍ତା ୧୭ ତାରିଖ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି । ଠିକ୍ ତା’ ପୂର୍ବରୁ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ହଟାଇ ଦିଆଯାଇଛି ।

ମୁଣ୍ଡ ଉପରେ ସିବିଆଇ ଖଣ୍ଡା? :ବହୁ ଦିନର ନିରବତା ପରେ ସିବିଆଇ ପୁଣି ଥରେ ଚଳଚଂଚଳ ହୋଇଉଠିଛି । ଏଟି ଚିଟଫଣ୍ଡ ଦୁର୍ନୀତି ମାମଲାରେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗରିଫ କରିଥିବା ବେଳେ ଏହା ପୁଣି ଥରେ ସିବିଆଇ ଭୟ ସୃଷ୍ଟି କରିଛି । ପୂର୍ବରୁ ଏହି ଚିଟ୍ଫଣ୍ଡ ଦୁର୍ନୀତି ମାମଲା ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ୍ କରି ସାରିଛି ସିବିଆଇ । ସେହିପରି ଅର୍ଥନୈତିକ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ପ୍ରବଣଙ୍କୁ ଜେରା ବି କରିଛି ।

ଫୋକସରେ ବିଜେପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଯୁବ ନେତା ହେଉଛନ୍ତି ରୋହିତ ପୂଜାରୀ । ପୂର୍ବରୁ ଏହି ଉପ- ମୁଖ୍ୟସଚେତକ ଦାୟିତ୍ୱ ତୁଳାଇବାରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ଯେହେତୁ ଆଗକୁ ବିଜେପୁର ଉପ-ନିର୍ବାଚନ ଅଛି, ତେଣୁ ରୋହିତଙ୍କୁ ସରକାରୀ ଦଳର ମୁଖ୍ୟ-ସଚେତକ ଦାୟତ୍ୱ ଦେଇ ତାଙ୍କ ଗୁରୁତ୍ୱକୁ ଆହୁରୀ ବଢ଼ାଇବାକୁ ଚାହିଁଥାଇ ପାରନ୍ତି ଦଳୀୟ ସୁପ୍ରିମୋ । ଏହି ସବୁ ତମାମ୍ ଆକଳନ ଭିତରେ ଅସଲ କାରଣଟି କଣ ତାହା କେବଳ ବିଜେଡି ଦଳ ହିଁ ସ୍ପଷ୍ଟ କରିପାରିବ ।